ରାଜ୍ୟରେ ପାରଦ ତଳମୁହାଁ: ଶୀତରେ ଥରୁଛି କନ୍ଧମାଳ, ପ୍ରବଳ ଶୀତ ସାଙ୍ଗକୁ ଘନକୁହୁଡି
ରାଜ୍ୟରେ ଗତ କିଛିଦିନ ଧରି ପାରଦ ତଳମୁହାଁ ହୋଇଛି । ବିଭିନ୍ନ ସ୍ଥାନରେ ସର୍ବନିମ୍ନ ଓ ସର୍ବୋଚ୍ଚ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ହ୍ରାସ ପାଇଛି । ଆସନ୍ତା ୩ଦିନ ମଧ୍ୟରେ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ କମିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ, ରବିବାର ରାଜ୍ୟର ଗୋଟିଏ ଦୁଇଟି ସ୍ଥାନକୁ ବାଦ୍ଦେଲେ ଅନ୍ୟ ସମସ୍ତ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସରୁ କମ୍ ରେକର୍ଡ କରାଯାଇଛି। ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୧.୦ ଡିଗ୍ରୀ, ଦାରିଙ୍ଗବାଡିରେ ୧୨.୦ ଡିଗ୍ରୀ, ଭବାନୀପାଟଣା ଓ ଅନୁଗୋଳରେ ୧୩.୦ ଡିଗ୍ରୀ ଓ ରାଉରକେଲାରେ ୧୩.୧ ଡିଗ୍ରୀ ସେଲସିୟସ୍ ରହିଥିଲା। ଅନ୍ୟପଟେ ପାରଳାଖେମୁଣ୍ଡି ଓ ମାଲକାନଗିରିରେ ସର୍ବାଧିକ ତାପମାତ୍ର ୩୨.୪ ଡିଗ୍ରୀ ସେଲସିୟସ୍ ରହିଥିଲା।

କନ୍ଧମାଳ ଜିଲାର ଜି.ଉଦୟଗିରି ସହର ପ୍ରବଳ ଶୀତରେ ଥରୁଛି। ରବିବାର ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ଜି.ଉଦୟଗିରି କୃଷି ଗବେଷଣା କେନ୍ଦ୍ରର କୃଷି ତାପ ମାପକ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀ ସତ୍ୟନାରାୟଣ ମହାନ୍ତି କହିଛନ୍ତି। ପ୍ରବଳ ଶୀତ ସାଙ୍ଗକୁ ଘନକୁହୁଡି ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି। ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ସନ୍ଧ୍ୟାରୁ ପୁଣି ଶୀତ ମାଡିଆସୁଛି। ଘନକୁହୁଡ଼ି ଯୋଗୁ କଳିଙ୍ଗା ଘାଟିରେ ଯାନବାହନ ଚଳାଚଳରେ ଅସୁବିଧା ହେଉଛି। ଶୀତରୁ ରକ୍ଷା ପାଇଁ ଲୋକେ ସକାଳୁ ଚା'ଦୋକାନ ଓ ନିଆଁ ଚାରିପାଖେ ବସି ରହୁଥିବା ଦେଖାଯାଉଛି।












Click it and Unblock the Notifications