Odisha Cold Weather: ୫ ଦିନ ତାପମାତ୍ରା ଖସିବନି: ରାଜ୍ୟରେ ଶୀତ ଉଭାନ
ରାଜ୍ୟରେ ଶୀତ ଉଭାନ । ନଭେମ୍ୱର ଯାଇ ଡିସେମ୍ୱର ପ୍ରଥମ ସପ୍ତାହ ସରିଗଲାଣି, ହେଲେ ରାଜ୍ୟରେ ଶୀତର ଦେଖା ନାହିଁ । ପ୍ରତିବର୍ଷ ଏହି ସମୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଥିବା ବେଳେ ଚଳିତବର୍ଷ ଶୀତ ଉଭାନ ହୋଇଯାଇଛି। କମ୍ୱଳ ଘୋଡ଼ାଇ ହୋଇ ଶୋଇବା ବଦଳରେ ଲୋକଙ୍କ ଘରେ ଫ୍ୟାନ୍ ଦରକାର ପଡୁଛି।
ମଝିରେ କିଛି ଦିନ ଦୁଇରୁ ତିନୋଟି ସହରର ସର୍ବନିମ୍ନ ତାପମାତ୍ରା ସାମାନ୍ୟ କମିଥିଲା। ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଆହୁରି ଚକିତ କଲା ଭଳି ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ସ୍ବାଭାବିକ ସ୍ଥିତିକୁ ଫେରିବ ନାହିଁ। ଅର୍ଥାତ୍ ସମସ୍ତ ସହରରେ ରାତିର ପାରଦ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ।
କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼ ଜିଲ୍ଲାର ତାପମାତ୍ରା ମଧ୍ୟ ସ୍ବାଭାବିକଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଆକଳନ ଅନୁଯାୟୀ ୯ ତାରିଖରେ କେବଳ କୋରାପୁଟ ବ୍ୟତୀତ ଅନ୍ୟ ସମସ୍ତ ସହରରେ ରାତିର ତାପମାତ୍ରା ୧୫ ଡିଗ୍ରି ଉପରେ ରହିବ।

ଉପକୂଳ ଓଡ଼ିଶା ସମେତ ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ରାୟଗଡ଼ା ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ଉପରେ ରହିପାରେ। ୧୦ ତାରିଖରେ ଅଧିକାଂଶ ସହରର ପାରଦ ୨୦ ଡିଗ୍ରି ଡେଇଁଯିବାକୁ ଥିବା ବେଳେ ୧୧ ତାରିଖରେ ସାମାନ୍ୟ କମିବ। ସେପଟେ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ କୋହଲା ପାଗ ସହ ଝିପିଝିପି ବର୍ଷା ହୋଇଛି। ସୋମବାର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଟକ, ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତିକରି ୧୨ ତାରିଖ ସୁଦ୍ଧା ତାମିଲନାଡୁ ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ ୧୨ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ।
ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହେଉ ନ ଥିବା ବେଳେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କୋହଲା ପାଗ ଲାଗି ରହିଛି ।
ସୋମବାର ଉତ୍ତର ତଥା ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ୬ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।












Click it and Unblock the Notifications