ଅପରାହ୍ଣରେ କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ କୋଭିଡ୍ ସ୍ଥିତିର ମୁକାବିଲା ପାଇଁ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ଣ ୫ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ମାମଲା । ତେବେ ରାଜ୍ୟରେ କୋଭିଡ୍ ସ୍ଥିତିର ମୁକାବିଲା ପାଇଁ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ଣ ୫ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ବସିବ ବୈଠକ । ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କ ସହ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେବେ ।

ଡିସେମ୍ବର ୩୦ ତାରିଖ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ୦.୩୬% ଥିବା ବେଳେ ଡିସେମ୍ବର ୩ରେ ବୃଦ୍ଧି ପାଇ ୦.୭୭%ରେ ପହଞ୍ଚିଛି। ୨୫ଟି ଜିଲ୍ଲାକୁ ଛୁଇଁସାରିଲାଣି କରୋନା । ୧୧ଟି ଜିଲ୍ଲାରେ ପଶିସାରିଲେଣି ଓମିକ୍ରନ୍ ଭ୍ୟାରିଆଣ୍ଟ । ସବୁଠାରୁ ବଡ଼ କଥା ହେଲା, ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ମାତ୍ର ୭୦ଟି ନମୁନାର ଜିନୋମ ସିକ୍ୱେନ୍ସିଂ ହୋଇଥିଲା; ଯେଉଁଥିରୁ ୩୭ଟି ଓମିକ୍ରନ ମାମଲା ଆସିଛି ।
ସୂଚନାଥାଉ କି, ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୯ ଜଣ ଅଛନ୍ତି। ସେହିପରି ୩୯୭ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ବାକି ୨୮୩ଟି ଲୋକାଲ୍ କେସ୍।
ତେବେ ସବୁଥରକ ପରି ଏଥର ମଧ୍ୟ କରୋନାର ହଟସ୍ପଟ୍ ପାଲଟିଛି ଖୋର୍ଦ୍ଧା ଜିଲ୍ଲା। ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୩୪ ଜଣ, ବରଗଡ଼ରୁ ୧୪ ଜଣ, ବଲାଙ୍ଗିରରୁ ୪ ଜଣ, କଟକରୁ ୫୯ ଜଣ, ଦେବଗଡ଼ରୁ ୯ ଜଣ, ଢେଙ୍କାନାଳରୁ ଜଣେ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୧୨ ଜଣ, ଜଗତସିଂହପୁରରୁ ୭ ଜଣ, ଯାଜପୁରରୁ ୭ ଜଣ, ଝାରସୁଗୁଡ଼ାରୁ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କେନ୍ଦ୍ରାପଡ଼ାରୁ ୩ ଜଣ, କେନ୍ଦୁଝରରୁ ୮ ଜଣ, କୋରାପୁଟରୁ ୯ ଜଣ, ମୟୂରଭଞ୍ଜରୁ ୮ ଜଣ, ନବରଙ୍ଗପୁରରୁ ୧୩ ଜଣ, ନୟାଗଡ଼ରୁ ୪ ଜଣ, ନୂଆପଡ଼ାରୁ ଜଣେ, ପୁରୀରୁ ୧୫ ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୪୨ ଜଣ, ସୋନପୁରରୁ ୬ ଜଣ, ସୁନ୍ଦରଗଡ଼ରୁ ୬୯ ଓ ଷ୍ଟେଟପୁଲରୁ ୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।












Click it and Unblock the Notifications