ଓଡିଶାର ଖାଦ୍ୟ ସୁରକ୍ଷା ରୂପାନ୍ତୀକରଣକୁ ବିଶ୍ୱ ଦରବାରରେ ପରିଚିତ କରାଇବେ ନବୀନ
ଦଶ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ଭୋର ୪ଟା ୧୫ରେ ଦିଲ୍ଲୀ ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରି ଅପରାହ୍ନରେ ଇଟାଲୀର ରୋମ ସହରରେ ପହଞ୍ଚି ସାରିଛନ୍ତି ନବୀନ ।
ଭୁବନେଶ୍ୱର: ଦଶ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ଭୋର ୪ଟା ୧୫ରେ ଦିଲ୍ଲୀ ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରି ଅପରାହ୍ନରେ ଇଟାଲୀର ରୋମ ସହରରେ ପହଞ୍ଚି ସାରିଛନ୍ତି ନବୀନ । ପ୍ରଥମେ ସୌଜନ୍ୟମୁଳକ ଭାବେ ଭାରତୀୟ ରାଷ୍ଟ୍ରଦୂତ ନିନା ମାଲହୋତ୍ରାଙ୍କ ସହ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଗାମୀ ୨୬ ତାରିଖ ଯାଏଁ ରୋମରେ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେ ଜୁନ୍ 29 ରେ ଦୁବାଇରେ ରହିବେ ଏବଂ ପରଦିନ ଭାରତ ଫେରିବେ ନବୀନ। ତେବେ ଏହି ବିଦେଶ ଗସ୍ତରେ ଚର୍ଚ୍ଚିତ ଘଟଣାଟି ହେଲା, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ୱାର୍ଲଡ ଫୁଡ୍ ପ୍ରୋଗ୍ରାମ)ରେ ଓଡିଶାର ଖାଦ୍ୟ ସୁରକ୍ଷା ରୂପାନ୍ତୀକରଣକୁ ନେଇ ନବୀନଙ୍କ ବାର୍ତ୍ତା ।
ଓ୍ୱାର୍ଲଡ ଫୁଡ୍ ପ୍ରୋଗ୍ରାମରେ ନବୀନଙ୍କ ବାର୍ତ୍ତା
ଭୋକର ଭୁଗୋଳ ଭାବେ ଓଡିଶାକୁ ଦେଖୁଥିବା ବିଦେଶୀଙ୍କୁ ଓଡିଶାର ଖାଦ୍ୟ ସୁରକ୍ଷା ମେଡଲର ଚିତ୍ର ଦେଖାଇବେ ନବୀନ । ଖାଦ୍ୟ ପାଇଁ ଦିନେ ଅନ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା, ଏବେ କିଭଳି ଖାଦ୍ୟ ବଳକା ରାଜ୍ୟ ହୋଇପାରିଛି ସେ ବିଷୟରେ ଅବଗତ କରାଇବେ। ସେହିପରି ୱାର୍ଲଡ ଫୁଡ୍ ପ୍ରୋଗ୍ରାମର ଏକଜିକ୍ୟୁଟିଭ୍ ଡିରେକ୍ଟର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟି ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ବି ରହିଛି । ଏହାସହ ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ମଡେଲ୍ ଷ୍ଟେଟ୍ ହେବା ଉପରେ ବି ନବୀନ ଆଲୋକପାତ କରିବେ ।
ସେହିପରି ୨୪ ତାରିଖରେ ରୋମରୁ ୟୁରୋପ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୨୬ ତାରିଖରେ ଇନଭେଷ୍ଟର ମିଟ୍ ପାଇଁ ଦୁବାଇ ଗସ୍ତ କରିବେ । ୨୯ ତାରିଖରେ ଦୁବାଇରେ ମିଡିଲ ଇଷ୍ଟ ପୁଂଜି ନିବେଶକାରୀଙ୍କ ସହ ରାଜ୍ୟରେ ପୁଂଜିନିବେଶ ନେଇ ଚର୍ଚ୍ଚା କରିବେ । ଓଡିଶାରେ ବୈଦେଶିକ ପୁଞ୍ଜିନିବେଶ ନେଇ ଶିଳ୍ପ ବିଭାଗର ଏକ ପ୍ରତିନିଧି ଦଳ ପୁଞ୍ଜି ନିବେଶକାରୀଙ୍କ ସହ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନ, ଯୋଗାଣ ସଚିବ ଭି.ଭି ଯାଦବ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଦିଲ୍ଲୀସ୍ଥିତ ଆବାସିକ କମିଶନର ରବି କାନ୍ତ ବିଦେଶ ଗସ୍ତରେ ଅଛନ୍ତି । ଗତ 10 ବର୍ଷ ମଧ୍ୟରେ ଏହା ନବୀନଙ୍କର ପ୍ରଥମ ବିଦେଶ ଗସ୍ତ ଏବଂ 22 ବର୍ଷରୁ ଅଧିକ ସମୟ ମଧ୍ୟରେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ଦ୍ୱିତୀୟ ଥର ହେବ। ଶେଷ ଥର ପାଇଁ 2012 ରେ ଲଣ୍ଡନ ପରିଦର୍ଶନ କରିଥିଲେ ଓଡିଶା ସିଏମ ନବୀନ ପଟ୍ଟନାୟକ 2012 ରେ ଲଣ୍ଡନ ପରିଦର୍ଶନ କରିଥିଲେ।
ପୋପ୍ ଫ୍ରାନ୍ସିସଙ୍କୁ ଭେଟିବେ ନବୀନ
ସବୁଠାରୁ ବଡକଥା ହେଉଛି, ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଭାଟିକାନରେ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ପୋପ୍ ଫ୍ରାନ୍ସିସଙ୍କୁ ଭେଟିବେ ନବୀନ । ପୋପ୍ ଫ୍ରାନ୍ସିସ ହେଉଛନ୍ତି ଖ୍ରୀଷ୍ଟ ଧର୍ମଗୁରୁ । ୨୦୧୮ର ତଥ୍ୟ ଅନୁସାରେ ବିଶ୍ୱର ପ୍ରାୟ ୧୩୨ କୋଟି ୨୯ ଲକ୍ଷ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ଧର୍ମାନୁଷ୍ଠାନ ହେଉଛି ଭାଟିକାନ ସହର ଓ ଏଠାରେ ରହୁଥିବା ପୋପ ଫ୍ରାନସିସ ଏମାନଙ୍କ ସର୍ବମାନ୍ୟ ଧର୍ମଗୁରୁ । ତେଣୁ ପୋପଙ୍କୁ ଭେଟି ଐତିହାସିକ ରେକର୍ଡ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ତାଙ୍କ ଭାବମୂର୍ତିକୁ ବିଶ୍ୱ ଦରବାରରେ ଆହୁରି ବ୍ୟାପକ କରିପାରିବ ।
ତେବେ ପଟ୍ଟନାୟକ ଏବଂ ପୋପ୍ ଫ୍ରାନ୍ସିସଙ୍କ ଏହି ଭେଟଘାଟ୍ ସୌଜନ୍ୟମୂଳକ ଆହ୍ୱାନ ଭାବରେ ବର୍ଣ୍ଣନା କରାଯାଇଛି। ରାଜନୈତିକ ପର୍ଯ୍ୟବେକ୍ଷକମାନେ ବିଶ୍ୱାସ କରନ୍ତି ଯେ, ଏହି ବୈଠକ ପଟ୍ଟନାୟକଙ୍କ ପୁରା ଭ୍ରମଣର ମୁଖ୍ୟ ଆକର୍ଷଣ ହେବ। ସମାଜବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ଶୁକଦେବା ନାୟକ କହିଛନ୍ତି ଯେ, ଯଦିଓ ପୋପଙ୍କୁ ଭେଟିବା ନବୀନଙ୍କ ଆଗାମୀ ଗସ୍ତର ମୁଖ୍ୟ ଏଜେଣ୍ଡା ନୁହେଁ, ତଥାପି ସାରା ବିଶ୍ୱରେ ପୋପଙ୍କୁ ସମ୍ମାନିତ କରାଯାଇଛି। ଏହି ଅର୍ଥରେ, ଏହି ବୈଠକ ନିଶ୍ଚିତ ଭାବରେ ବିଶ୍ୱସ୍ତରୀୟ ନେତା ଭାବରେ ନବୀନଙ୍କ ସ୍ଥିତିକୁ ବଢାଇବ ।












Click it and Unblock the Notifications