5T ଗ୍ରୀଡ ସବ୍ଷ୍ଟେସନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ୨୫୦ କୋଟି ଖର୍ଚ୍ଚ, ଉପକୃତ ହେବେ ୪ଟି ଜିଲ୍ଲାର ୨ ଲକ୍ଷ ଲୋକେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪ଟି ଜିଲ୍ଲାରେ 5T ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ ସବ୍ଷ୍ଟେସନ ଉଦଘାଟନ କରିଛନ୍ତି । ଏଥିପାଇଁ 254 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪ଟି ଜିଲ୍ଲାରେ 5T ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ ସବ୍ଷ୍ଟେସନ ଉଦଘାଟନ କରିଛନ୍ତି । ଏଥିପାଇଁ 254 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ସ୍ଥାନଗୁଡିକ ହେଲା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ମାଲକାନଗିରିର କାଲିମେଳା, ସୁବର୍ଣ୍ଣପୁରର ବୀର ମହାରାଜପୁର ଓ କଟକ ଜିଲ୍ଲାର ଗୋଡିସାହି ଓ ବହୁଗ୍ରାମ। ଏହାଦ୍ବାରା ଏହି ୪ଟି ଜିଲ୍ଲାର ୨ ଲକ୍ଷ ଲୋକ ଉପକାର ପାଇବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ଉତ୍ତମ ବିଦ୍ୟୁତଶକ୍ତିର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ବିଦ୍ୟୁତ ସଂପ୍ରସାରଣ ଓ ଆବଣ୍ଟନ ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଉଦଘାଟନ କରି ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, କୃଷି, ଶିଳ୍ପ ଓ ସାଧାରଣ ଜୀବନଯାପନ ସବୁ କ୍ଷେତ୍ରରେ ଉତ୍ତମ ଓ ନିରବଚ୍ଛିନ୍ନ ବିଦ୍ୟୁତର ଆବଶ୍ୟକତା ରହିଛି । ବିଜୁଳି ଶକ୍ତି ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ତେଣୁ ଏହାକୁ ଅଯଥାରେ ନଷ୍ଟ ନ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।
ସୂଚନାଯୋଗ୍ୟ ଯେ ରାଜ୍ୟରେ ବିଦ୍ୟୁତ ସଂପ୍ରସାରଣ କ୍ଷେତ୍ରରେ ଏକ ଦୃଢ ଭିତ୍ତିଭୂମିର ବିକାଶ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ୧୮୫ଟି ଏକ୍ସଟ୍ରା ହାଇ ଭୋଲ୍ଚେଜ୍ ଗ୍ରୀଡ଼ ସବ୍-ଷ୍ଟେସନ ଥିବାବେଳେ ୧୬,୦୦୦ ସର୍କିଟ କିଲୋମିଟର ନେଟୱାର୍କ ରହିଛି । କାର୍ଯ୍ୟକ୍ରମରେ ଯୋଗ ଦେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଓଡିଶା ବିଦ୍ୟୁତ ଶକ୍ତିରେ ଏକ ବଳକା ରାଜ୍ୟ ହୋଇପାରିଛି । ଓଡିଶାର ଶକ୍ତି ବିତରଣ ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ସଫଳ ହେଉଛି ବୋଲି ସେ ମତ ଦେଇଥିଲେ ।
ଏହି ଅବସରରେ ଓଡିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ମୁଖ୍ୟ ଶାସନ ସଚିବଙ୍କୁ ଏହି ପରିମାଣର ଚେକ୍ ପ୍ରଦାନ କରାଯାଇ ଥିଲା। ଅତି ଅଳ୍ପ ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଏହି ସଂସ୍ଥା ଲାଭ କରିପାରି ଥିବାରୁ ମୁଖ୍ୟମନ୍ତ୍ରୀ ଏହାର ଉଚ୍ଚପ୍ରଶଂସା କରିଥିଲେ । ୨୦୨୨-୨୩ର ପ୍ରଥମ ୬ ମାସ ମଧ୍ୟରେ OCPL ୬୨୬ କୋଟି ଟଙ୍କା ଲାଭ କରିଛି ଏବଂ କୋଇଲା ଉତ୍ପାଦନରେ ୬୦ ପ୍ରତିଶତ ବୃଦ୍ଧି ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେଇ ରାଜ୍ୟରେ ବିଦ୍ୟୁତ ଶକ୍ତିର ବିକାଶ ଓ ଶିଳ୍ପାୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ଦେଇଥିଲେ । ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସକ ସଚିବ ନିକୁଞ୍ଜ ବିହାରୀ ଧଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ OPTCLର ଅଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ ।












Click it and Unblock the Notifications