୪୪୧ କୋଟିର ସୁଧ ରିହାତି ବିତରଣ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୩୫ଲକ୍ଷ ଚାଷୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୫ ଲକ୍ଷରୁ ଅଧିକ ଚାଷୀମାନଙ୍କୁ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷିଋଣ ସମବାୟ ସମିତିଙ୍କୁ ୨୦୨୨-୨୩ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ରିହାତି ବିତରଣ କରିଛନ୍ତି । ଲୋକସେବା ଭବନ କନଭେନସନ ସେଣ୍ଟରରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪୪୧କୋଟି ୭୬ଲକ୍ଷ ଟଙ୍କାର ବିନା ସୁଧ ଋଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏହା ପ୍ରଦାନ କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି , ଅର୍ଥନୀତିର ଆତ୍ମା, ବିକାଶର ଆଧାର ଚାଷ। ସଶକ୍ତ ଓଡ଼ିଶାର ସାରଥି ଚାଷୀ, ମା ଓ ଯୁବକ ଯୁବତୀ । ଚାଷୀଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ସ୍ୱତନ୍ତ୍ର ବଜେଟ ହୋଇଛି । କାଳିଆ ଶିକ୍ଷା ବୃତ୍ତି ମଧ୍ୟ ପ୍ରଦାନ କରଯାଉଛି । ଚାଷୀଙ୍କୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ । ୩୫ଲକ୍ଷ ଚାଷୀ ସୁଧ ରିହାତି ପାଇ ଉପକୃତ ହୋଇଛନ୍ତି । ସେମାନଙ୍କୁ ସୁଧ ଦେବାକୁ ପଡିନି। ରାଜ୍ୟର କୋ-ଅପରେଟିଭ ମୁମେଣ୍ଟ ଶକ୍ତିଶାଳୀ ହୋଇଛି । ଚାଷୀଭାଇ ଆମ ଗର୍ବ, ଚାଷୀଙ୍କ କଲ୍ୟାଣ ପାଇଁ କାମ କରିଚାଲିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୨୦୨୨-୨୩ ବର୍ଷ ପାଇଁ ୮୫୦ କୋଟିରୁ ଅଧିକ ଟଙ୍କାର ସୁଧ ରିହାତି ଯୋଗାଇ ଦିଆଯାଇଛି। ଚାଷୀ ଭାଇଙ୍କୁ ଋଣ ନେଇ ସୁଧ ଦେବାକୁ ପଡିଲା ନାହିଁ । କୃଷି ଋଣର ୬୦% ସମବାୟ ବ୍ୟାଙ୍କ ଓ ସମବାୟ ସମିତି ଯୋଗାଉଛି । ଚାଷୀଙ୍କ କଲ୍ୟାଣ ପାଇଁ କାମ କରୁଛି ଓ ଆଗକୁ ମଧ୍ୟ କରି ଚାଲିବି । ଗଞ୍ଜାମର ଚାଷୀ ପରିବାରର ଜଣେ ପିଲା କିରଣ ସାହୁ କାଳିଆ ଶିକ୍ଷା ବୃତ୍ତି ପାଇ ବ୍ରହ୍ମପୁର ମଡିକାଲ କଲେଜରେ ପଢିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥି ପାଇଁ ଖୁସି ବ୍ୟକ୍ତ କରିଥିଲେ ।
ଚାଷୀକୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ ଓ କାଳିଆ ପରି କଲ୍ୟାଣ ଯୋଜନା କରିବାରେ ମଧ୍ୟ ଓଡ଼ିଶା ପ୍ରଥମ ରାଜ୍ୟ। ଆଜିର ସୁଧ ରିହାତି ଯୋଗୁ ଚାଷୀ ଭାଇମାନଙ୍କୁ ଟଙ୍କାଟିଏ ବି ସୁଧ ଦେବାକୁ ପଡ଼ିଲା ନାହିଁ। ଆମର ସମବାୟ ଆନ୍ଦୋଳନ ଆଜି ଶକ୍ତିଶାଳୀ ହୋଇଛି । ଫସଲ ଋଣର ୬୦ ପ୍ରତିଶତ କେବଳ ସମବାୟ କ୍ଷେତ୍ର ହିଁ ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି କାର୍ଯ୍ୟକ୍ରମରେ ଯୋଗଦେଇ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି ଯେ, ରାଜ୍ୟର କୃଷକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ବାରମ୍ବାର କୃଷି କର୍ମଣ ପୁରସ୍କାର ପାଇଁ ମନୋନୀତ ହେବା ହେଉଛି ଆମ ପ୍ରତିବଦ୍ଧତାର ପ୍ରମାଣ। ସମବାୟ ବିଭାଗ, କୃଷି ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗର ମିଳିତ କାର୍ଯ୍ୟକ୍ରମ ଯୋଗୁ ରାଜ୍ୟ ଆଜି ଏକ ଅଭାବୀ ରାଜ୍ୟରୁ ଏକ ବଳକା ରାଜ୍ୟରେ ପରିଣତ ହୋଇଛି ।












Click it and Unblock the Notifications