ଓଡ଼ିଶା ଫେରିବେ ଲାଓସରେ ଫସିଥିବା ୩୫ ଜଣ ଓଡ଼ିଆ ଶ୍ରମିକ, ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ନବୀନ
ଓଡ଼ିଶା ଫେରିବେ ୩୫ ଶ୍ରମିକ । ଦକ୍ଷିଣ-ପୂର୍ବ ଏସିଆର ଲାଓସ ଦେଶରେ ଫସିଥିବା ୩୫ ଜଣ ଶ୍ରମିକ ଓଡ଼ିଶା ଫେରିବେ । ଏ ନେଇ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫସି ରହିଥିବା ସମସ୍ତ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରମ କମିଶନର ଲାଓସ୍ରେ ଭାରତୀୟ ଦୂତାବାସ ସହ ଏନେଇ କଥା ହୋଇଛନ୍ତି । ତେବେ ଭଲ ଖବର ଆସିଛି । ଦୂତାବାସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ଶ୍ରମିକଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଖୁବଶୀଘ୍ର ନିରାପଦରେ ଭାରତକୁ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ।
କାରଖାନାର ମାଲିକ ସେମାନଙ୍କଠାରୁ ପାସ୍ ପୋର୍ଟ ଛଡ଼ାଇ ନେବା ସହ ସେମାନଙ୍କୁ କାରଖାନାରେ ନଜରବନ୍ଦୀ କରି ରଖିଥିଲେ । ଏନେଇ ଫସିରହିଥିବା ଶ୍ରମିକମାନେ ଏକ ଭିଡିଓ ଜାରି କରି ସହାୟତା ପାଇଁ ନିବେଦନ କରିଥିଲେ ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରୁ ୩୫ ଜଣ ଶ୍ରମିକ କାମ କରିବାକୁ ଅନ୍ଵେଷଣରେ ଦକ୍ଷିଣ-ପୂର୍ବ ଏସିଆର ଲାଓସରେ ଆଟାପେୟୁ ପ୍ରୋଭିନ୍ସରେ ଥିବା ଏକ ପ୍ଲାଏଉଡ୍ କାରଖାନାରେ କାମ କରୁଥିଲେ । ହେଲେ ସେମାନଙ୍କୁ ହଇରାଣ କରାଯାଇଥିଲା ।
ତାଙ୍କୁ ଠିକାଦାର ଚୁକ୍ତି ଖିଲାପ କରି ସେମାନଙ୍କୁ ଅଧିକ ସମୟ ଖଟାଉଥିଲା । ସେମାନଙ୍କୁ କୁହାଯାଇଥିବା ପାରିଶ୍ରମିକ ମଧ୍ୟ ମିଳିନଥିଲା । ଶ୍ରମିକମାନେ ଏହାର ପ୍ରତିବାଦ କରିବାରୁ ଗତ ୨ ମାସ ହେବ ସେମାନଙ୍କୁ ଆଦୌ ପାରିଶ୍ରମିକ ମିଳିନାହିଁ ।












Click it and Unblock the Notifications