Get Updates
Get notified of breaking news, exclusive insights, and must-see stories!

ମେଟ୍ରୋ ରେଲ୍ ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ରଖିଲେ ନବୀନ; କହିଲେ ନୂଆ ପର୍ଯ୍ୟାୟକୁ ଯିବ ଓଡିଶାର ରୂପାନ୍ତର

ଭୁବନେଶ୍ବର: ପରିବହନ କ୍ଷେତ୍ରରେ ଆରମ୍ଭ ହେବ ନୂଆ ଯୁଗ । କମ୍ ସମୟ କମ୍ ଖର୍ଚ୍ଚରେ ସୁରକ୍ଷିତ ଯାତ୍ରା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ରେଲ୍‌ର ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି ।

ଏହି ଅବସରରେ ବାରଙ୍ଗ ରତାଗଡଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଦିନଟି ରାଜ୍ୟର ବିକାଶ ଇତିହାସରେ ଏକ ସ୍ୱତନ୍ତ୍ର ଦିବସ ହୋଇ ରହିବ । ପରିବହନ କ୍ଷେତ୍ରରେ ଆସିବ ବଡ ରୂପାନ୍ତର । ସେ କହିଥିଲେ ଯେ ମେଟ୍ରୋ ରେଲ୍‌ପାଇଁ ମୁଁ ଯେଉଁ ପ୍ରତିଶୃତି ଦେଇଥିଲି, ତାହା ଆଜି ପାଳନ କରୁଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଯୋଜନା ଗାଁରେ ରୂପାନ୍ତର ଆଣିଛି, ମେଟ୍ରୋ ରେଲ୍‌ ଯୋଜନା ଏ ରୂପାନ୍ତରକୁ ଆହୁରି ଆଗକୁ ନେବ। ପୁରୁଣା ରାଜଧାନୀ କଟକ ସହିତ ନୂଆ ରାଜଧାନୀ ଭୁବନେଶ୍ୱରର ସମ୍ପର୍କକୁ ଆହୁରି ମଜବୁତ କରିବ।

naveen_patnaik

ବାଟରେ ଆସିବା ବେଳେ ସ୍ଥାନେସ୍ଥାନେ ଲୋକଙ୍କ ଉତ୍ସାହ ଓ ଉଦ୍ଦୀପନା ସମ୍ପର୍କରେ ପ୍ରକାଶକରି ମୁଖ୍ୟମନ୍ତ୍ରୀ କହିଲେ ଯେ "ଏଠାକୁ ଆସିବା ବେଳେ ରାସ୍ତାରେ ହଜାର ହଜାର ଲୋକଙ୍କ ଶୁଭେଚ୍ଛା ପାଇଲି। ସେମାନଙ୍କ ଆନନ୍ଦ ମୋତେ ମଧ୍ୟ ବହୁତ ଖୁସି ଦେଇଛି । ନୂଆ ବର୍ଷର ଏ ଖୁସି, ଏ ଆନନ୍ଦ, ସବୁ ଦିନ ଜାରି ରହୁ, ମହାପ୍ରଭୁଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା । ବିକାଶର ପର୍ବ ଆପଣମାନଙ୍କ ସହଯୋଗରେ ଆହୁରି ଆଗକୁ ବଢୁ ।"

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମେଟ୍ରୋ ରେଲ୍‌ର ଏହି ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ନିର୍ମାଣ କରାଯିବ। ୨୬ କି.ମି. ଏହି ପ୍ରକଳ୍ପରେ ୨୦ଟି ଷ୍ଟେସନ ରହିବ ଓ ଏଥିପାଇଁ ୬୨୫୫.୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। 5T ଉପକ୍ରମରେ ଏହା ରାଜ୍ୟର ଏକ ଫ୍ଲାଗସିପ୍ ପ୍ରକଳ୍ପ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକଳ୍ପର ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ପ୍ରକାଶକରି ସେ କହିଲେ ଯେ ଓଡିଶା ଇତିହାସରେ ଭିତ୍ତିଭୂମି କ୍ଷେତ୍ରରେ ଏହା ସବୁଠାରୁ ବଡ ନିବେଶ।

ଶେଷରେ ସେ କହିଥିଲେ ଯେ ମେଟ୍ରୋ ରେଲ୍‌କୁ ଖୋର୍ଦ୍ଧା, ପୁରୀ ଓ କଟକ ସହରକୁ ସଂପ୍ରସାରଣ କରିବା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏକ ନୂଆ ଓଡିଶା ସଶକ୍ତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ପ୍ରଥମେ ଭୁବନେଶ୍ୱର ଏୟାରପୋର୍ଟ ଛକରୁ ବାରଙ୍ଗ ରତାଗଡ ପର୍ଯ୍ୟନ୍ତ ରୋଡ୍ ସୋ ରେ ଆସି ସେଠାରେ ମେଟ୍ରୋ ପ୍ରକଳ୍ପ ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଏୟାରପୋର୍ଟ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସେ ରୋଡ୍‌-ସୋରେ ଯାଇ କ୍ୟାପିଟାଲ ହସ୍ପିଟାଲ ଛକ, ୧୨୦ ବ୍ୟାଟାଲିୟାନ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଲ୍‌ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଇଣ୍ଡିଆନ ଅଏଲ ଛକ, କିଟ୍ ଛକ, ନନ୍ଦନ ବିହାର ଓ ରଘୁନାଥପୁରଠାରେ ଉପସ୍ଥିତ ଜନତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନନ୍ଦନକାନନ ଛକରେ ବିଜୁ ପଟ୍ଟନାୟକଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସେଠାରୁ ସେ ବାରଙ୍ଗ ଛକ ଓ ଫୁଲପୋଖରୀ ଛକରେ ଲୋକଙ୍କୁ ଶୁଭେଚ୍ଛା ଜଣାଇ ବାରଙ୍ଗ ରତାଗଡଠାରେ ପହଞ୍ଚି ମେଟ୍ରୋ ରେଲ୍‌ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଦେଇଥିଲେ ଏବଂ ଶେଷରେ ସାଧାରଣ ସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଅପ୍ରେଲ ପହିଲାରେ ମୁଖ୍ୟମନ୍ତ୍ରୀ ଓଡିଶାରେ ଏହି ମେଟ୍ରୋ ରେଲ୍‌ ପ୍ରକଳ୍ପ ଆରମ୍ଭ କରିବା ସମ୍ପର୍କରେ ଘୋଷଣା କରିଥିଲେ। ଅକ୍ଟୋବର ୨୯ ରେ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ତ୍ରିଶୂଳିଆ ଯାଇ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ୨୦୨୩ ନଭେମ୍ବର ୧୪ ତାରିଖରେ ଏହି ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ କରିଥିଲେ। ଅନୁମୋଦନ ମିଳିବାର ମାତ୍ର ୪ ମାସ ମଧ୍ୟରେ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ ଆଜି ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା। ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ ଓ ଭୁବନେଶ୍ୱର ମେଟ୍ରୋ ରେଲ୍‌ କର୍ପୋରେସନର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଯୋଗଦେଇ କହିଲେ ଯେ ଟେମ୍ପଲ ସିଟି ଭୁବନେଶ୍ୱରରୁ ପୁରୁଣା ରାଜଧାନୀ କଟକକୁ ମେଟ୍ରୋ ରେଳ ଚଳାଚଳ ପାଇଁ ରାଜ୍ୟବାସୀଙ୍କର ବହୁ ପ୍ରତୀକ୍ଷିତ ସ୍ୱପ୍ନ ଥିଲା। ଆଜି ଏହି ପ୍ରକଳ୍ପ ମାଧ୍ୟମରେ ତାହା ପୂରଣ ହେଲା। ସହରୀକରଣ, ଗମନାଗମନ ସହିତ ଲୋକମାନଙ୍କୁ ଏହା ସବୁ କ୍ଷେତ୍ରରେ ସାହାଯ୍ୟ କରିବ। ଅନ୍ୟତମ ଅତିଥିଭାବେ ଯୋଗଦେଇ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଏହି ପ୍ରକଳ୍ପ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି। ଏହି ପ୍ରକଳ୍ପ କଟକ ଭୁବନେଶ୍ୱର ସହିତ ସମଗ୍ର ଓଡିଶାପାଇଁ ଗର୍ବ ଗୌରବର ପ୍ରତୀକ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଏହି ପ୍ରକଳ୍ପ ମାଧ୍ୟମରେ ଆମର ଟ୍ରାଫିକ୍ ସମସ୍ୟା ଦୂରହୋଇ ଗମନାଗମନ କ୍ଷେତ୍ରରେ ଉନ୍ନତି ଆସିବା ସହିତ ରୋଜଗାର ଓ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇ ଆମକୁ ଏକ ମଡର୍ଣ୍ଣ ଲୁକ୍ ଦେବ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ସ୍ୱାଗତ ଭାଷଣ ଦେଇଥିଲେ, ବିଧାୟକ ବାଙ୍କୀ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ଚୌଦ୍ୱାର-କଟକ ଶ୍ରୀ ସୌଭିକ ବିଶ୍ୱାଳ, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, କଟକ ସଦର ବିଧାୟକ ଶ୍ରୀ ଚନ୍ଦ୍ରଶେଖର ସାରଥି ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେଉଥିବା ଏହି ମେଟ୍ରୋ ପ୍ରକଳ୍ପ ପାଇଁ ଆଜିର ଦିନଟି ଏବଂ ମୁଖ୍ୟମନ୍ତ୍ରୀଙ୍କ ନାଁ ଓଡିଶା ଇତିହାସରେ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ ବୋଲି କହିଥିଲେ। ଦିଲ୍ଲୀ, ମୁମ୍ବାଇ ଚେନ୍ନାଇ ପରି ଆମର ମଧ୍ୟ ସ୍ୱପ୍ନ ଥିଲା ଓଡିଶାରେ ମେଟ୍ରୋ ପାଇଁ। ଆମର ସ୍ୱପ୍ନକୁ ସାକାର କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗୁ ଆଜି ଓଡିଶାର କୌଣସି କ୍ଷେତ୍ରରେ ଅବହେଳିତ ହୋଇରହିନାହିଁ ବୋଲି ସେମାନେ କହିଥିଲେ। କଟକ ମେୟର ଶ୍ରୀ ସୁବାସ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+