ବିଦ୍ୟୁତ କାଟ ନକରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ପ୍ରବଳ ତାତି ଓ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ କାଟ୍ ନକରିବା ପାଇଁ ବିତରଣ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସେ କହିଛନ୍ତି ଯେ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଜାରି ରଖ ଏବଂ ମୁଖ୍ୟତଃ ଦିନ ବେଳା ବିଦ୍ୟୁତ୍ କାଟ୍ କର ନାହିଁ ।

ରାଜ୍ୟରେ ପ୍ରଚଣ୍ଡ ଗ୍ରାଷ୍ମ ପ୍ରବାହ ଯୋଗୁଁ ବିଦ୍ୟୁତ୍ ଚାହିଦା ବଢୁଛି । ପିକ୍ ସମୟରେ ୧୦ ପ୍ରତିଶତ ଅଧିକ ବିଦ୍ୟୁତ ଆବଶ୍ୟକତା ରହୁଛି । ବର୍ତ୍ତମାନ ରାଜ୍ୟରେ ଯାହା ବିଦ୍ୟୁତ୍ ସମସ୍ୟା ରହିଛି ତାହା ସାମୟିକ ସମସ୍ୟା । ମେ' ପ୍ରଥମ ସପ୍ତାହ ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । । ଦିନ ସମୟରେ ବିଜୁଳି ଯୋଗାଣରେ ଯେପରି କୌଣସି ଅସୁବିଧା ନହେବ ସେନେଇ ଡ଼ିସକମ୍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏନେଇ ଆଜି ଏକ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ଆୟୋଜିତ ହୋଇଥିଲା ବୈଠକ । ବୈଠକ ପରେ ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଖରା ତାତି ବୃଦ୍ଧି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକୁ ମୁଖ୍ୟ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସବୁ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥାକୁ କୋଇଲା ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି।

ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ଭିସିରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରୁଥିବା ବେଳେ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ। ଗ୍ରୀଡକୋ, ଓପିଟିସିଏଲ୍, ଓଏଚପିସି, ଓପିଜିସି, ବିଦ୍ୟୁତ ଉତ୍ପାଦନ କମ୍ପାନୀ ସମେତ ଡିସକମ ମାନେ ସାମିଲ ହୋଇଥିଲେ ।
ରାଜ୍ୟରେ ଏବେ ସମୁଦାୟ ପ୍ରାୟ ୪ ଭାଗରୁ ଭାଗେ ଜଳ ବିଦ୍ୟୁତ୍ ଉତ୍ପାଦନ ହୋଇପାରୁଛି। ରାଜ୍ୟରେ ମୋଟ ଜଳ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୨ ହଜାର ୯୯ ମେଗାଓ୍ୱାଟ୍ ଥିବାବେଳେ ୭ଟି ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ଏବେ ମାତ୍ର ୫ ଶହ ୫୬ ମେଗାଓ୍ୱାଟ୍ ଉତ୍ପାତିତ ହେଉଛି ।

ତେବେ ପିକ୍ ଆଓ୍ୱାରରେ ରାଜ୍ୟରେ ବିଦ୍ୟୁତ୍ ଚାହିଦା ପୂର୍ବ ତୁଳନାରେ ୧୦% ବୃଦ୍ଧି ପାଇଛି । ସନ୍ଧ୍ୟା ୭ଟାରୁ ରାତି ୧୧ଟା ମଧ୍ୟରେ ବିଦ୍ୟୁତ୍ ଚାହିଦା ୫ ହଜାର ୨ଶହ ମେଗାଓ୍ୱାଟରୁ ୫ ହଜାର ୪ଶହ ମଧ୍ୟରେ ରହୁଛି । ତେବେ ରାଜ୍ୟର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୪ ହଜାର ୮ଶହ ମେଗାଓ୍ୱାଟ ରହିଛି । ବିଦ୍ୟୁତ୍ ଉତ୍ପାଦନ କମ ରହୁଥିବାରୁ ଏଭଳି ସ୍ଥିତି ଦେଖାଦେଇଛି । ତେଣୁ ଏହାର ସମାଧାନ ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।