ସିଜରିଆନ୍ ଡେଲିଭରି ହାର ବଢିବା ପରେ ସଜାଗ ହେଲେ ସରକାର, ଘରୋଇ ହସ୍ପିଟାଲରେ ହେଉଥିବା ଅସ୍ତ୍ରୋପଚାରର ହେବ ଅଡ଼ିଟ୍
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସିଜରିଆନ୍ ଡେଲିଭରି ବା ଅସ୍ତ୍ରୋପଚାର ପ୍ରସବ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ ୨୦୧୫-୧୬ ଓ ୨୦୧୯-୨୧ ମଧ୍ୟରେ ଏହି ପ୍ରସବଜନିତ ଅସ୍ତ୍ରୋପଚାରର ହାର ୫୩.୭%ରୁ ବୃଦ୍ଧି ପାଇ ୭୦.୭%ରେ ପହଞ୍ଚିଛି । ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଦ୍ୱାରା ଗଠିତ ପ୍ରଜନନ ଶିଶୁ ସ୍ୱାସ୍ଥ୍ୟ ପ୍ୟାନେଲ ଦ୍ୱାରା ସୁପାରିଶ ସ୍ତରଠାରୁ ଅଧିକ ଅଟେ ।

ତେବେ ଏହି ରିପୋର୍ଟା ଆସିବା ପରେ ଏବେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏବେ ସମସ୍ତ ଘରୋଇ ହସ୍ପିଟାଲରେ ପ୍ରସବଜନିତ ଅସ୍ତ୍ରୋପଚାର ଗୁଡ଼ିକର ଅଡ଼ିଟ କରାଯିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସହରାଞ୍ଚଳର ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମେ ମାସ ୧ ତାରିଖରୁ ଏହା କାର୍ଯ୍ୟକାରୀ କରାଯିବ ।
ତେବେ ଏହି ଅଡିଟ୍ ତିନୋଟି ପର୍ଯ୍ୟାୟରେ କରାଯିବ । ପ୍ରଥମେ ନିର୍ଦ୍ଧାରିତ ଫର୍ମାଟରେ ଅଡ଼ିଟ୍ କରାଯିବ । ପରବର୍ତ୍ତୀ ସମୟରେ ଏହାକୁ ଫର୍ମାଟ-ବିରେ ସ୍ଥାନିତ କରାଯିବ । ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଠିକ୍ ଭାବେ ତନଖି କରି ସାରିବା ପରେ ଫର୍ମାଟ-ସିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟକୁ ଏହା ପଠାଯିବ ।
ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଜଣେ ପ୍ରୋଗ୍ରାମ ଅଫିସରଙ୍କୁ ଦାୟିତ୍ୱ ଦେବାକୁ କୁହାଯାଇଛି । ଯିଏକି ସମସ୍ତ ଘରୋଇ ସ୍ୱାସ୍ଥ୍ୟସଂସ୍ଥା ସହ ସମନ୍ୱୟ ରକ୍ଷା କରି ଏହି ଅଡ଼ିଟ୍ କିପରି ଠିକ୍ ଭାବେ କାର୍ଯ୍ୟକରିବ ସେ ସଂପର୍କରେ ତଦାରଖ କରିବେ । ଆଗାମୀ ଦିନରେ ମାତୃଓ ଶିଶୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ଅଡ଼ିଟ୍ ପ୍ରଭାବଶାଳୀ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଛନ୍ତି ।












Click it and Unblock the Notifications