ସରିଲା ଧର୍ମର ମାସ କାର୍ତ୍ତିକ: ଆଜି ଛାଡଖାଇ, ଆମିଷ ବଜାରରେ ଭିଡ଼
ଭୁବନେଶ୍ୱର: ଆଜି ଛାଡଖାଇ । କାର୍ତ୍ତିକ ମାସ ଯାକ ନିରାମିଶ ଖାଦ୍ୟ ଖାଇଥାନ୍ତି ଲୋକେ, ହେଲେ ପୂର୍ଣ୍ଣିମା ସରିବା ପରେ ଆଜି ଆମିଷ ଖାଇ ଛାଡଖାଇ ପାଳନ କରିଥାନ୍ତି ଲୋକେ । ଆଜି ମଙ୍ଗଳବାର ପାଇଁ ଟିକେ ଫିକା ପଡିଯାଇଛି ଆମିଷ ବଜାର । ହେଲେ ଲୋକଙ୍କ ଚାହିଦାକୁ ନଜରରେ ରଖି ବ୍ରଏଲର କୁକୁଡ଼ା, ଖାସିମାଂସ, ମାଛ, ଦେଶୀ କୁକୁଡ଼ା. ଅଣ୍ତା, ଚିଙ୍ଗୁଡି, କଙ୍କଡ଼ା, ଇଲିସି ବଜାରରେ ମିଳୁଛି ।

ଭୁବନେଶ୍ୱରରେ ମଟନ୍ କିଲୋ ୮ ଶହ ଟଙ୍କା ହୋଇଥିବା ବେଳେ ଚିଙ୍ଗୁଡି ୫ ଶହ ରୁ ୬ ଶହ ଟଙ୍କା ସେଗହିପରି ଦେଶୀ ଚିକେନର ଦାମ୍ ୨୨୦ ଟଙ୍କା ରହିଛି । ତେବେ ମଙ୍ଗଳାବାର ଯୋଗୁଁ ଦରରେ କିଛି ଖାସ୍ ପରିବର୍ତ୍ତନ ଦେଖିବା ପାଇଁ ମିଳିନାହିଁ ହେଲେ ଆସନ୍ତାକାଲି ବୁଧବାର ଥିବାରୁ ରେଟ୍ ବଢିପାରେ ବୋଲି ଆଶା କରାଯାଉଛି ।
କାହିଁକି ଛାଡ଼ଖାଇ ?
ଛାଡ଼ଖାଇ, ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି । ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣ କରନ୍ତି ନାହିଁ । ଛାଡ଼ଖାଇ ଶବ୍ଦଟି, 'ଛାଡ଼' ଓ 'ଖାଇ' ଦୁଇଟି ଶବ୍ଦର ସନ୍ଧିରୁ ବିକଶିତ । ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା । ଅର୍ଥାତ, କିଛି ସମୟ ଅନ୍ତରାଳ ପରେ ଖାଇବା । ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଶେଷରେ ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ।
କିଛି ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରିବା ପାଇଁ, କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ । ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା । ଛାଡ଼ଖାଇ ଏହିପରି ଭାବରେ ଆରମ୍ଭ ହୋଇଥାଇପାରେ । ବର୍ଷର ଏହି ସମୟରେ ମାଛମାନେ ସମୁଦ୍ର ତଟ ପାଖକୁ ଆସନ୍ତି, ତେଣୁ ମାଛ ଅମଳ ମଧ୍ୟ ଭଲ ହୋଇଥାଏ ।
କିଛି ମତରେ, ଛାଡ଼ଖାଇରୁ ଶୀତ ଋତୁର ଆରମ୍ଭ ହୋଇଥାଏ । ଶୀତ ଦିନରେ କୁକୁଡ଼ା ଓ ଛେଳି ମାଂସରେ ସ୍ନେହସାର ଓ ଆଦ୍ରତାର ଅନୁପାତ ଭଲ ରହୁଥିବାରୁ, ଶୀତ ଦିନ ମାଂସ ଖାଇବାର ସବୁଠାରୁ ଭଲ ।












Click it and Unblock the Notifications