ଇ-ଯାନ ପଲିସିକୁ କ୍ଯାବିନେଟ ମୋହର: ମିଳିବ ସରକାରୀ ପ୍ରୋତ୍ସାହନ
ରାଜ୍ୟ କ୍ଯାବିନେଟର ଆଜି ୩୩ ତମ ବୈଠକ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଇ-ଯାନ ପଲିସି ସମେତ ମୋଟ ୧୪ ଗୋଟି ପଲିସି ଅନୁମୋଦିତ ହୋଇଛି। ଇ-ଯାନ ବା ବିଦ୍ୟୁତ୍ ଚାଳିତ ଗାଡ଼ିକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ନୂତନ ଘୋଷଣା କରିଛନ୍ତି । ଏଣିକି ଇ-ଯାନ ବା ବିଦ୍ୟୁତ୍ ଚାଳିତ ଗାଡ଼ି କିଣିଲେ ମିଳିବ ସରକାରୀ ପ୍ରୋତ୍ସାହନ । ରାଜ୍ୟରେ ବିଦ୍ୟୁତ ଚାଳିତ ଗାଡ଼ି ପ୍ରଚଳନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ୨୦୨୫ ସୁଦ୍ଧା ଅନ୍ୟୁନ ୨୦ପ୍ରତିଶତ ବ୍ୟାଟେରୀ ପରିଚାଳିତ ଗାଡ଼ି ପଞ୍ଜିକୃତ ହେବ ।

ଏହାସହ ଓଡ଼ିଶା ସୋସିଆଲ୍ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍ । ସେହିପରି ଓଡ଼ିଶା ବାଲି ନୀତି-୨୦୨୧କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଓଡ଼ିଶା ଭେଟେନାରୀ ସର୍ଭିସ୍ କ୍ୟାଡରର ପୁନର୍ଗଠନକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ଭେଟେନାରୀ ସେବା ପଦବୀ ସଂଖ୍ୟା ୧୪୮୧ରୁ ୧୯୧୦କୁ ବୃଦ୍ଧି ହେବ। ଓଡ଼ିଶା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଆଇନ ସଂଶୋଧନରେ କ୍ୟାବିନେଟ୍ ମୋହର ବାଜିଛି । ଏହି ସଂଶୋଧନ ଅନୁସାରେ ପ୍ରିନସିପାଲଙ୍କୁ ମିଳିଥିବା ଡିଡିଓ କ୍ଷମତା ବ୍ୟବହାର କରି ସେମାନେ ନିଜ କର୍ମଚାରୀଙ୍କ ପ୍ରୋଭିଜନାଲ ପେନସନ ମଞ୍ଜୁର କରିପାରିବେ। ଜଜ୍ କୋର୍ଟ ଓ ଅଧସ୍ତନ କୋର୍ଟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୟାଡର ରୁଲ୍କୁ କ୍ୟାବିନେଟ୍ ଅନୁମୋଦନ କରିଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରକ୍ଷଣାବେକ୍ଷଣ କରିବ ପଞ୍ଚାୟତ । ଏହାସହ ଷ୍ଟିଲ୍ ଓ ମାଇନ୍ସ ବିଭାଗର ୪ଟି ସର୍ଭିସ୍ ରୁଲ୍କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛି । ହସ୍ତତନ୍ତ ବିଭାଗର କାରବାର ନିୟମରେ ସଂଶୋଧନକୁ ଅନୁମୋଦନ ମିଳିଛି । ଏଥିରୁ କୁଟୀର ଶିଳ୍ପକୁ ବାଦ୍ ଦେଇ ଅନ୍ୟାନ୍ୟ କାର୍ଯ୍ୟକାରୀ ଶିଳ୍ପକୁ ସାମିଲ କରାଯାଇଛି ।












Click it and Unblock the Notifications