କ୍ୟାବିନେଟ ବୈଠକ: ୩୩ଟି ପ୍ରସ୍ତାବ ଉପରେ ମୋହର, ବିଧାୟକଙ୍କ କ୍ୱାଟର୍ସ ପାଇଁ ୫୧୦ କୋଟି
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ମୋଟ ୩୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ଲାଗିଛି । ପଞ୍ଚାୟତିରାଜ ଓ ପାନୀୟଜଳ, ଅର୍ଥ, ସାଧାରଣ ପ୍ରଶାସନ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ ।
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ମୋଟ ୩୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ଲାଗିଛି । ପଞ୍ଚାୟତିରାଜ ଓ ପାନୀୟଜଳ, ଅର୍ଥ, ସାଧାରଣ ପ୍ରଶାସନ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଏହି ସବୁ ପ୍ରସ୍ତାବ ମଧ୍ୟରେ ଜଳସମ୍ପଦ ବିଭାଗର ୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ସେଥି ମଧ୍ୟରେ ଯାଜପୁରରେ ବୈତରଣୀ ନଦୀରେ ଦୁଇଟି ବ୍ୟାରେଜ ନିର୍ମାଣ ଉପରେ ମୋହର ବାଜିଛି । ୨ ଶହ କୋଟି ବ୍ୟୟରେ ହେବ ୨ଟି ବ୍ୟାରେଜ । ଏହା ଦ୍ୱାରା ବନ୍ୟା ନିୟନ୍ତ୍ରଣ ହୋଇପାରିବ । ଭଦ୍ରକ ଧାମନଗର ଓ ଯାଜପୁର ଦଶରଥପୁର ବ୍ଲକ ଲୋକେ ଉପକୃତ ହେବେ । ଦୁଇଟି ବ୍ୟାରେଜ ପାଇଁ ଟେଣ୍ଡର ସରିଥିବାବେଳେ ଅଢେଇ ବର୍ଷ ମଧ୍ୟରେ କାମ ସରିବ ।
ସେହିପରି ବଲାଙ୍ଗୀର ଜିଲ୍ଲାର ଲୋୟର ସୁକତେଲ ଭୂତଳ ଜଳଯୋଗାଣ ପ୍ରକଳ୍ପ ଉପରେ କ୍ୟାବିନେଟ ମୋହର ବାଜିଛି । ପ୍ରାୟ ୧୩ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ୬୩୪ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପାର୍ବତିଗିରି ବୃହତ ଉଠା ଜଳସେଚନ ଯୋଜନା ପାଇଁ ୧୦ ହଜାର ୭୫୦ କୋଟି ଟଙ୍କା ମଂଜୁର କରାଯାଇଛି ।
ସେହିପରି ଜଟଣୀ ତହସିଲର ଜାମୁକୋଳିରେ ହେବ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ । ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେବେ ୫ ଏକର ଜମି । ଏଥିସହ ରାଜ୍ୟସ୍ତରୀୟ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମର ଭିତ୍ତିଭୂମି ବିକାଶ ହେବ । ବିଶ୍ୱକପ ପାଇଁ ଭିତ୍ତିଭୂମି ବିକାଶ ବଜେଟ ସଂଶୋଧନକୁ ମଞ୍ଜୁରୀ ମିଳିଛି ।
ସେହିପରି ବିଧାୟକମାନେ ରହିବ ପାଇଁ କ୍ଵାଟର ନିର୍ମାଣ ପାଇଁ ୫୧୦ କୋଟି ଟଙ୍କା ଖର୍ଚ୍ଚ ହେବ, ଯାହାକୁ ଆଜି କ୍ୟାବିନେଟ ଅନୁମୋଦନ ମିଳିଛି । ଏଥିରେ ୧୯୫ଟି ଟାଇପ-୬ ଓ ୧୦୫ଟି ଟାଇପ-୭ ସରକାରୀ କ୍ଵାଟର ନିର୍ମାଣ କରାଯିବ । ଏହି କାର୍ଯ୍ୟ ଅଢେଇ ବର୍ଷ ମଧ୍ୟରେ ଶେଷ ହେବ ।
ଏଥିସହ ୮୭୫କୋଟିର ସଂଶୋଧିତ ପ୍ରକଳ୍ପ ମୂଲ୍ୟକୁ ମିଳିଛି ମଞ୍ଜୁରୀ । କୋଭିଡ ମହାମାରୀ ପାଇଁ ମନ୍ତ୍ରିସ୍ତରୀୟ କମିଟିର ନିଷ୍ପତ୍ତି ଉପରେ ମୋହର ମରାଯାଇଛି । ରାଜ୍ୟର ଶିଳ୍ପାନୁଷ୍ଠାନକୁ ଚୂନ ପଥର ଯୋଗାଣ ଏଣିକି ସୁନିଶ୍ଚିତ ହେବ । ଏହି ଚୁନ ପଥର ଓଏମସି ଜରିଆରେ ଯୋଗାଇ ଦିଆଯିବ । ସ୍ବେଚ୍ଛାକୃତ ଅବସର ପରେ IRTS ଅଫିସର ମନୋଜ ମିଶ୍ରଙ୍କୁ ମିଳିବ ଚୁକ୍ତିଭିତିକ ନିଯୁକ୍ତି । ସେହି ପଦବୀରେ ରାଜ୍ୟ ସରକାର ଦେବେ ନିଯୁକ୍ତି ।
ସେହିପରି ୯ଟି ମେଗା ଲିଫ୍ଟ ପ୍ରୋଜେକ୍ଟକୁ ମୋହର ମାରିଛନ୍ତି ରାଜ୍ୟ କ୍ୟାବିନେଟ । ୩୬ ମାସ ଭିତରେ କାର୍ଯ୍ଯକ୍ଷମ ହେବ ଏହି ପ୍ରକଳ୍ପ । ସେହିପରି ୧୪ଟି ମେଗା ଲିଫ୍ଟ ପ୍ରୋଜେକ୍ଟ କେନ୍ଦୁଝର ଜିଲ୍ଲାରେ ହେବ । ୧୭ ହଜାର ହେକ୍ଟର ଜମି ଜଳସେଚିତ ହେବ । ୟେଉଁ କମ୍ପାନୀ ଏହି ଟେଣ୍ଡର ନେବ ତାହାକୁ ୧୫ ବର୍ଷ ପର୍ୟ୍ୟନ୍ତ ଦାୟିତ୍ୱ ନେବେ ବୋଲି କୁହାଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ଦୁଇଟି ପ୍ରସ୍ତାବକୁ ମୋହର ମରାଯାଇଛି । ସୁବର୍ଣ୍ଣପୁର -ବିନିକା ରାସ୍ତାକୁ ଉନ୍ନତିକରଣ କରିବା କାର୍ଯ୍ଯକୁ ଅନୁମୋଦନ ଦିଆଯାଇଛି ।












Click it and Unblock the Notifications