ଟୋକିଓରେ ଓଡ଼ିଶା ବିଜନେସ୍ ମିଟ୍: ମିଳିଲା ୨୬ ହଜାର କୋଟିର ନିବେଶ
ଟୋକିଓ: ଜାପାନରେ ଥିବା ଭାରତୀୟ ଦୂତାବାସ, ଜାପାନର ବୈଦେଶିକ ବାଣିଜ୍ୟ ସଂଗଠନ (ଜେଟ୍ରୋ) ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ସହ ଭାଗୀତାରେ ଓଡିଶା ସରକାର ଟୋକିଓରେ ବିଜନେସ୍ ମିଟ୍ ଆୟୋଜନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସମ୍ବୋଧନ କରିଥିଲେ ।
ଏହି ବୈଠକରେ ଜେଟ୍ରୋର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ କାଜୁୟା ନାକାଜୋ, ରାଜ୍ୟ ଶିଳ୍ପ ଏମସଏମଇ ଓ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେଓ, ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ଏବଂ ଓଡ଼ିଶା ସରକାର, ଇପିକଲ ଏବଂ ଫିକିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଜାପାନର ବିଭିନ୍ନ ଶିଳ୍ପରୁ ପ୍ରତିନିଧିତ୍ୱ କରୁଥିବା ୨୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ ।

ଓଡ଼ିଶା ବିଜନେସ୍ ମିଟ୍ ମାଧ୍ୟମରେ ଓଡ଼ିଶା ସରକାର ଲଜିଷ୍ଟିକ୍ସ, ମେଟାଲ ଆନୁଷଙ୍ଗିକ, ଇସ୍ପାତ, ମେଟାଲ ଡାଉନଷ୍ଟ୍ରିମ୍, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ, ଗ୍ରୀନ୍ ଏନର୍ଜି ଇକ୍ୱିପମେଣ୍ଟ ଉତ୍ପାଦନ ଏବଂ ଆଇଟି/ଆଇଟିଇଏସ୍ ଭଳି କ୍ଷେତ୍ରରେ ୨୬ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ପ୍ରସ୍ତାବ ହାସଲ କରିଛନ୍ତି। ସେହିପରି ନିହନ-ଉତ୍କଳ (ଏନ୍ଆଇଟିକେଏଲ୍) ଏବଂ ଭୁବନେଶ୍ୱର-ଆଇଆଇଆଇଟି ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସମଗ୍ର ବଙ୍ଗୋପସାଗର ଅଂଚଳରେ ବାଣଜ୍ୟବ୍ୟବସାୟର ଏକ ପେଣ୍ଠସ୍ଥଳୀ ହେବାକୁ ଯାଉଛି । ଶିଳ୍ପସଂସ୍ଥାମାନେ ଯେପରି ପୂର୍ବ ଭାରତ, ପୂର୍ବ ଓ ଦକ୍ଷିଣ-ପୂର୍ବ ଏସୀୟ ଅଂଚଳରେ ଥିବା ବ୍ୟବସାୟ ସମ୍ଭାବନାର ସୁଯୋଗ ନେଇପାରିବେ ସେଦିଗରେ ଓଡ଼ିଶା ସରକାର ସହଯୋଗ କରୁଛନ୍ତି । ସେହିପରି ଓଡ଼ିଶାରେ ଥିବା ବୌଦ୍ଧ କୀର୍ତ୍ତିରାଜିର ବିକାଶ ମଧ୍ୟ କରାଯାଉଛି ।
ସେହିପରି କାର୍ଯ୍ୟକମ୍ରରେ ଉଦବୋଧନ ଦେଇ ଜେଟ୍ରୋ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ କାଜୁୟା ନାକାଜୋ ଜାପାନ ଏବଂ ଭାରତ ମଧ୍ୟରେ ଉଦୀୟମାନ ବ୍ୟବସାୟ ସୁଯୋଗ ଉପରେ ଆଲୋକପାତ କରିଥିଲେ। ସେ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ "ବ୍ୟବସାୟିକ ସମ୍ପର୍କ" ପରିବର୍ତ୍ତେ "ପାରିବାରିକ ବନ୍ଧ" ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଭାରତ ସରକାରଙ୍କ ଦ୍ୱାରା ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସାରା ଦେଶରେ ଏକ ବୃହତ ଶିଳ୍ପ ଭିତ୍ତିଭୂମି ସୃଷ୍ଟି ବିଷୟରେ କହିଥିଲେ ଏବଂ ଜାପାନର ବନ୍ଧୁମାନଙ୍କୁ ଭାରତରେ ପ୍ରମୁଖ ପୁଞ୍ଜି ବିନିଯୋଗକୁ ଗୁରୁତ୍ୱପୂର୍ଣ ଭାବରେ ବିଚାର କରିବାକୁ ଅନୁରୋଧ କରିଥିଲେ। ଜାପାନୀ ନିବେଶକମାନଙ୍କ ପାଇଁ ଓଡିଶାର ଏକ ଆକର୍ଷଣୀୟ ପୁଞ୍ଜି ବିନିଯୋଗ ସ୍ଥାନ ହେବା ପାଇଁ ସେ ଓଡିଶାର ରଣନୈତିକ ଅବସ୍ଥାନ ଏବଂ ପ୍ରାକୃତିକ ସମ୍ପଦର ସୁବିଧାକୁ ମଧ୍ୟ ଆଲୋକିତ କରିଛନ୍ତି ।












Click it and Unblock the Notifications