ବଜେଟ ଅଧିବେଶନ: କ'ଣ ରହିଛି ଟ୍ରାଫିକ୍ କଟକଣା ?
ଆଉ ଗୋଟିଏ ଦିନ ପରେ ଅର୍ଥାତ ୧୩ ତାରିଖରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ମୋଟ ୨୮ ଟି କାର୍ଯ୍ୟଦିବସ ଥିବାବେଳେ ଫେବୃଆରୀ ୧୭ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ ।
ଫେବୃଆରୀ ୧୩ରୁ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ । ଫେବୃଆରୀ ୧୭ରେ ଆସିବ ରାଜ୍ୟ ବଜେଟ । ୨୦୨୫-୨୦୨୬ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ଫେବୃଆରୀ ୨୨ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ବନ୍ଦ ରହିବ ଅଧିବେଶନ। ପୁଣି ମାର୍ଚ୍ଚ ୭ରୁ ଏପ୍ରିଲ ୫ଯାଏ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ।

ବଜେଟ୍ ଅଧିବେଶନ ପାଇଁ ବିଧାନସଭା ମାର୍ଗରେ କମିସନରେଟଟ୍ରାଫିକ୍ କଟକଣା ଜାରି କରାଯାଇଛି। ସର୍ବସାଧାରଣଙ୍କ ଯାତାୟାତ ଉପରେ କଟକଣା ଜାରି କରିଛି। ସେହିପରି ଜୟଦେବ ଭବନ ଠାରୁ ରବୀନ୍ଦ୍ର ମଣ୍ଡପ ଛକ, ରବୀନ୍ଦ୍ର ମଣ୍ଡପ ଛକ ଠାରୁ ୧୨୦ ବାଟାଲିୟନ ଛକ ଯାଏଁ ଲୋକଙ୍କ ଗମନାଗମନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଉକ୍ତ ରାସ୍ତାରେ ଅନୁମତି ନ ଥିବା ଲୋକେ ଯେପରି ଭିତରେ ପ୍ରବେଶ ନ କରିବେ ସେଥିପାଇଁ ପଏଣ୍ଟ କରାଯାଇଛି। କେବଳ ଲୋକସେବା ଭବନ ଓ ବିଧାନସଭା କର୍ମଚାରୀଙ୍କ ସହ ଅନୁମତି ଥିବା କର୍ମଚାରୀ ପରିଚୟପତ୍ର ଦେଖାଇ ଯାତାୟାତ କରିପାରିବେ। ସେଭଳି ପୁଲିସ, ଆମ୍ବୁଲାନ୍ସ, ଅଗ୍ନିଶମ ଏବଂ ବିଧାନସଭା, ରାଜ୍ୟ ସଚିବାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଏହି କଟକଣା ଲାଗୁ ହେବ ନାହିଁ ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି।
କେଉଁବାଟେ ଯିବେ
- ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ କେଶରୀ ଟକୀଜ୍ ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ।
- ଏ.ଜି. ଛକ ପଟୁ ପି.ଏମ୍.ଜି. ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ଵରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ।
- ମାଷ୍ଟର କ୍ୟାଣ୍ଟିନ୍ ଛକ ପଟୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଲୋୟର ପି.ଏମ୍.ଜି. ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ରାସ୍ତା ଦେଇ ଯାଇପାରିବେ ।
- ୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନ ଗୁଡ଼ିକ ପାୱାର ହାଉସ୍ ଛକ ଦେଇ ଯିବେ ।
- ରାଜଭବନ ଛକ ପଟୁ ଏମ୍.ଏଲ୍.ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନ ଗୁଡ଼ିକ ଶାସ୍ତ୍ରୀ ନଗର ଛକ ଆଡ଼କୁ ଯିବେ ।












Click it and Unblock the Notifications