ବଜେଟ୍ ପାଇଁ ୧୨ହଜାର ଲୋକଙ୍କ ମତାମତ ନେଲେ ରାଜ୍ୟ ସରକାର
Odisha Budget 2024: ରାଜ୍ୟରେ ଆସନ୍ତା ୨୫ ତାରିଖରେ ବିଜେପି ସରକାରଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ ହେବା ପାଇଁ ଯାଉଛି । ଯାହା ଉପରେ ରହିଛି ସମସ୍ତଙ୍କ ନଜର । ଯେଉଁଥି ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚଳିତ ବର୍ଷ ବଜେଟ୍ ପ୍ରସ୍ତୁତି ପାଇଁ ବୈଠକ ହୋଇଛି । ଏହି ବୈଠକରେ ୮୦ରୁ ଅଧିକ ବିଶେଷଜ୍ଞ ସାମିଲ ହୋଇଥିବା ନେଇ ସୂଚନା ରହିଛି । ୨୦୨୪-୨୫ ମସିହା ପାଇଁ ରାଜ୍ୟ ବଜେଟର ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି ।
ତେବେ ବୈଠକ ସରିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ସରକାରଙ୍କ ପାଇଁ ଜନତାଙ୍କ ମତାମତ ଅଧିକ ଗୁରୁତ୍ୱପୂର୍ଣ୍ଣ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଆଗାମୀ ଜୁଲାଇ ୨୫ ତାରିଖରେ ବିଧାନସଭାବେ ଉପସ୍ଥାପିତ ହେବ । ଏନେଇ ପାଇଁ ଅନଲାଇନ୍ ମାଧ୍ୟମରେ ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା । ଯେଉଁଥିରେ ପ୍ରାୟ ୧୨ ହଜାରରୁ ଅଧିକ ଲୋକଙ୍କ ମତାମତ ଆମେ ପାଇଛୁ । ଯାହା ପୂର୍ବ ବର୍ଷ ଅପେକ୍ଷା ପ୍ରାୟ ୬ ଗୁଣା ଅଧିକ । ତେବେ ଲୋକଙ୍କର ଏତେ ସଂଖ୍ୟାରେ ଚଳିତ ବଜେଟରେ ଅଂଶ ଗ୍ରହଣ କରିବା ଆମ ପାଇଁ ଏକ ଉତ୍ସାହର ବିଷୟ ।

ରାଜ୍ୟର ନୂଆ ସରକାର ନିଜକୁ ଲୋକଙ୍କ ସରକାର କହୁଥିବାରୁ ଏଥର ବଜେଟ୍ରେ ସାଧାରଣ ଜନତାଙ୍କ କଲ୍ୟାଣ ନେଇ କିଛିଟା ଘୋଷଣା ହେବା ଆଶା କରାଯାଉଛି। ଏହା ବ୍ୟତୀତ ଯେଉଁ ସବୁ ପ୍ରତିଶ୍ରୁତି ଦେଇ ବିଜେପି ନିର୍ବାଚନରେ ବିଜୟୀ ହୋଇଛି ତାହାର ପ୍ରତିଫଳନ ମଧ୍ୟ ବଜେଟ୍ରେ ଦେଖିବାକୁ ମିଳିବ। ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା।
କେନ୍ଦ୍ର ସରକାର ଧାନ ଏମ୍ଏସ୍ପିକୁ ୨୩୦୦ ଟଙ୍କାକୁ ବୃଦ୍ଧି କରିଥିବାରୁ ରାଜ୍ୟ ସରକାରଙ୍କୁ ଏହି ପ୍ରତିଶ୍ରୁତି ପୂରଣ କରିବା ଲାଗି କ୍ବିଣ୍ଟାଲ ପିଛା ୮୦୦ ଟଙ୍କାର ବୋନସ୍ ଦେବାକୁ ପଡ଼ିବ। ଏହା ବ୍ୟତୀତ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ଦେବାର ପ୍ରତିଶ୍ରୁତି ମଧ୍ୟ ରହିଛି। ଦେଢ଼ ଲକ୍ଷ ପାଖାପାଖି ସରକାରୀ ପଦ ପୂରଣ କରିବା ପ୍ରତିଶ୍ରୁତିକୁ ମଧ୍ୟ ସରକାରଙ୍କୁ ପାଳନ କରିବାକୁ ପଡ଼ିବ। ସେଥିପାଇଁ ମୋଟା ଅଙ୍କର ବ୍ୟୟବରାଦ ଆବଶ୍ୟକ।












Click it and Unblock the Notifications