କାଲିଠୁ ମାଟ୍ରିକ ପରୀକ୍ଷା; ପରୀକ୍ଷା ଦେବେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ, AI କ୍ୟାମେରା ରଖିବ ନଜର
କାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ତତ୍ପର ଥିବା ଦେଖିବାକୁ ମିଳିଛି ।
ଚଳିତ ବର୍ଷ ମାଟ୍ରିକ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି ।
ପରୀକ୍ଷା ଫେବୃୟାରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ଅର୍ଥାତ୍ ୨୦ରେ ମାତୃଭାଷା, ଏହାପରେ ୨୩ରେ ଦ୍ଵିତୀୟ ଭାଷା ଇଂରାଜୀ, ୨୬ରେ ଗଣିତ ପରୀକ୍ଷା ହେବ । ୨୮ରେ ତୃତୀୟ ଭାଷା, ମାର୍ଚ୍ଚ ୨ରେ ବିଜ୍ଞାନ ଓ ମାର୍ଚ୍ଚ ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ ।

ପରୀକ୍ଷା ସବୁଦିନ ସକାଳ ୯ ଟାରେ ଆରମ୍ଭ ହେବ । ପ୍ରତିଦିନ ଗୋଟିଏ ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ । ଏଥର ରେଗୁଲାର ପରୀକ୍ଷାର୍ଥୀ ଭାବେ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅପ କରିଛନ୍ତି । ଏଥିପାଇଁ ୨୯୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।
ସେହିପରି ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ। ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ (AI) ର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ । ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ CCTV ଲାଇଭ ଷ୍ଟ୍ରିମିଙ୍ଗ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି ।
ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ AI ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ବ୍ୟବହାର କରାଯିବ। ବୋର୍ଡ ମୁଖ୍ୟାଳୟ କମାଣ୍ଡ କଣ୍ଟ୍ରୋଲ ରୁମରୁ ହିଁ ତା ଉପରେ ନଜର ରଖାଯିବ।
ପ୍ରଥମ ଥର ପାଇଁ ଚଳିତ ବର୍ଷ ସମସ୍ତ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ରହିବେ ପର୍ଯ୍ୟବେକ୍ଷକ। ପ୍ରଶ୍ନପତ୍ର ଆସିବାଠାରୁ ପରୀକ୍ଷା ସରି ଉତ୍ତରଖାତା ଯିବା ପର୍ଯ୍ୟନ୍ତ ଟିକିନିଖି ତଦାରଖ କରିବେ। ବିଇଓ, ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ ରହିବ । କେବଳ ଏତିକି ନୁହେଁ, ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।












Click it and Unblock the Notifications