ପଞ୍ଚମ ଦିନରେ ଏମିତି ଚାଲିଛି ବିଧାନସଭା: ଏହି ସବୁ ବିଷୟରେ ହୋଇଛି ଆଲୋଚନା
ଆଗକୁ ନିର୍ବାଚନ ଥିବା ଚଳିତ ମୌସୁମୀ ଅଧିବେଶନରେ ପ୍ରତିଫଳିତ ହେଉଛି । ଶାସକ ଓ ବିରୋଧି ବାରମ୍ବାର ମୁହାଁମୁଁହି ହେଉଛନ୍ତି । ଆଉ ଗୃହ ଅଧିକ ସମୟ ମୁଲତବୀ ରହୁଛି । ସ୍ଵାଭାବିକ ଭାବେ ଗୃହ ଚଳିପାରୁନି । ବିରୋଧୀ ହଙ୍ଗାମା କରୁଛନ୍ତି । ତେବେ ଏହାରି ଭିତରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । କ୍ରୀଡାର ସଫଳତା ନେଇ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ।
କଳିଙ୍ଗ ଷ୍ଟାଡିୟମର ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବଙ୍କୁ ଗୃହରେ ଧନ୍ୟବାଦ ଜଣାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅଭୁତପୁର୍ବ ପଦକ୍ଷେପ ନେଇଛନ୍ତି । ୨୦୧୮ ଓ ୨୦୨୩ରେ ବିଶ୍ୱ କପ ହକି ଆୟୋଜନ କରି ଓଡ଼ିଶା ଗୌରବ ଅର୍ଜନ କରିଛି ।
ଆଜି ପ୍ରଶ୍ନକାଳରେ ଗତ କିଛି ବର୍ଷରେ ରାଜ୍ୟରେ ଦ୍ରୁତ କ୍ରୀଡାର ଉନ୍ନତିର ତାଲିକା ପ୍ରଦାନ କରିଥିଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।
ଏଣିକି କ୍ରୀଡାର ବିକାଶ ପାଇଁ ଆର୍ଥିକ ପ୍ରତିବନ୍ଧକ ନାହିଁ । ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ଅର୍ଥ ଖର୍ଚ୍ଚ କରୁଛନ୍ତି । ଦରକାର ହେଲେ, DMFରୁ ଖର୍ଚ୍ଚ କରାଯାଉଛି ବୋଲି କ୍ରୀଡା ମନ୍ତ୍ରୀ କହିଛନ୍ତି ।
ସେହିପରି ରାଜ୍ୟରେ ଦାରିଦ୍ର୍ୟ କମିଛି । ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ନୀତି ଆୟୋଗଙ୍କ ଦ୍ବାରା ଜୁଲାଇ -୨୦୨୩ରେ ପ୍ରକାଶିତ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ, ୨୦୧୫-୧୬ରୁ ୨୦୧୯-୨୦ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ବହୁମୁଖୀ ଦାରିଦ୍ର୍ୟ ୨୯.୩୫ ପ୍ରତିଶତରୁ ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି । ଉକ୍ତ ପାଞ୍ଚ ବର୍ଷରେ ଜାତୀୟ ସ୍ତରରେ ବହୁମୁଖୀ ଦାରିଦ୍ର୍ୟ ହାର ୨୪. ୮୫ ପ୍ରତିଶତରୁ ୧୪. ୯୬ ପ୍ରତିଶତକୁ ହ୍ରାସ ପାଇଛି ।
ଓଡିଶାର ଜଣେ ଚାଷୀ ମାସକୁ ୫୧୧୨ ଟଙ୍କା ରୋଜଗାର କରିଥାନ୍ତି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବିଧାନସଭାରେ ଏନେଇ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।
ରାଜ୍ୟର ଚାଷୀମାନଙ୍କର ମାସିକ ଆୟ କେତେ ? ଏବଂ ଅନ୍ୟ ରାଜ୍ୟର ଚାଷୀଙ୍କ ଆୟର ଏକ ତୁଳନାତ୍ମକ ଚିତ୍ର ଦେବାକୁ ନରସିଂହ ମିଶ୍ର କହିଥିଲେ । ଉତ୍ତର ରଖି ମନ୍ତ୍ରୀ କହିଥିଲେ ଯେ, ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ସର୍ବେକ୍ଷଣ ମୁତାବକ ଓଡିଶାର ଜଣେ ଚାଷୀ ୨୦୧୨-୧୩ ବର୍ଷରେ ମାସକୁ ୪୯୭୬ ଟଙ୍କା ରୋଜଗାର କରୁଥିଲେ ଯାହାକି ୨୦୧୮-୧୯ ବର୍ଷରେ ବୃଦ୍ଧି ପାଇ ୫୧୧୨ ଟଙ୍କା ହେଇଛି । ଅନ୍ୟ ରାଜ୍ୟର ଚାଷୀଙ୍କ ଆୟର ଏକ ତୁଳନାତ୍ମକ ଚିତ୍ର ମଧ୍ୟ ରଖିଥିଲେ ମନ୍ତ୍ରୀ । ଯାହା ମୁତାବକ, ସର୍ବଭାରତୀୟ ସ୍ତରରେ ଚାଷୀଙ୍କ ମାସିକ ଆୟ ୧୦,୨୧୮ ଟଙ୍କା ହେଇଥିବାବେଳେ, ଓଡିଶାରେ ଏହା ମାତ୍ର ୫୧୧୨ ଟଙ୍କା ।

ସକାଳେ ଚା' ପିଇବା ବେଳେ ଯିଏ ଯାହା କହିଲେ ତାହାକୁ ଶୁଣି ବିରୋଧୀ ଗୃହରେ କହୁଛନ୍ତି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ ।
ପ୍ରଶ୍ନକାଳରେ ପ୍ରଶ୍ନ କରିବାର ସୁଯୋଗ ମିଳିନଥିବା ଅଭିଯୋଗ କରି ପ୍ରତିବାଦ କରୁଥିଲେ ପ୍ରଦୀପ ପାଣିଗ୍ରାହୀ । ପୋଡିୟମ ତଳେ ଧାରଣାରେ ବସିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ । ଏହାକୁ ସମର୍ଥନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ତେବେ ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ ରହିଛି ।












Click it and Unblock the Notifications