ରାଜଧାନୀ ପାଲଟିଛି ଡେଙ୍ଗୁ ହଟସ୍ପଟ, ୧୮ ଜିଲ୍ଲାରେ ଚିହ୍ନଟ ହେଲେଣି ଏତିକି ରୋଗୀ
ଭୁବନେଶ୍ବର: ଡରାଇଲାଣି ଡେଙ୍ଗୁ ଆତଙ୍କ । ଗତ ୨-୩ବର୍ଷ ଧରି ରାଜଧାନୀ ଓ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଚଳିତ ମାସ ୨ ତାରିଖ ସୁଦ୍ଧା ରାଜ୍ୟରେ ୧୧,୫୭୫ ନମୁନା ପରୀକ୍ଷା ହୋଇଛି ।
ସେଥିମଧ୍ଯରୁ ୧୯୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୧୦୫ ରୋଗୀ ରହିଛନ୍ତି । ସୋମବାର ଦିନ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ ପ୍ରାୟ ୯ ଜଣ ଖୋର୍ଦ୍ଧା ଜିଲ୍ଲାରୁ ରହିଥିଲେ । ସେହିପରି ଯାଜପୁରରୁ ୧୨ ଜଣ, ବାଲେଶ୍ବର-ପୁରୀରୁ ୧୦, କଟକରୁ ୧୧ ଓ ଭଦ୍ରକରୁ ପ୍ରାୟ ୮ ଜଣ ଡ଼େଙ୍ଗୁ ରୋଗୀ ଥିବା ଜଣାପଡ଼ିଛି । ଗତବର୍ଷ ମୋଟ ୬୧୨୫ଟି ନମୂନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୩୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିରୁ କେବଳ ୯୩ ଜଣ ଖୋର୍ଦ୍ଧା ଜିଲ୍ଲାରୁ ହିଁ ରହିଥିଲେ ।

ତେବେ ମୁଖ୍ୟତଃ ଡେଙ୍ଗୁର ହଟସ୍ପଟ ପାଲଟିଛି ଭୁବନେଶ୍ୱର । ରାଜଧାନୀରେ ଡ଼େଙ୍ଗୁ ସ୍ଥିତି ଜଟିଳ ହେଉଥିବା ବେଳେ ବର୍ଷା ଆରମ୍ଭ ନ ହେଉଣୁ ଆଇଆରସି ଭିଲେଜ, ସାଲିଆ ସାହି ଓ ଓଲଡ଼ ଟାଉନ ଅଞ୍ଚଳ ହଟସ୍ପଟ୍ ପାଲଟିଛି । ଭୁବନେଶ୍ବର ସମେତ ରାଜ୍ୟର ୧୮ଟି ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ଡେଙ୍ଗୁ ବ୍ୟାପିବା ନେଇ ତନାଘନା ବେଳେ ସାମ୍ନାକୁ ଆସୁଛି ଚମକାଇ ଦେଲାଭଳି ଏକ ତଥ୍ୟ । ଡେଙ୍ଗୁ ବ୍ୟାପିବା ପଛରେ ରହିଛି କୋଭିଡ୍ । କୋଭିଡ ବେଳେ ଲକଡାଉନ ଓ ସଟଡାଉନ ପାଇଁ ପାର୍କଠାରୁ ଆରମ୍ଭ କରି ଗାଡ଼ି, ଡଷ୍ଟବିନ୍, ପାଣି ଟାଙ୍କି ଓ ଅନ୍ୟାନ୍ୟ ସ୍ଥାନ ଠିକ୍ ସମୟରେ ସଫା ହୋଇପାରି ନ ଥିଲା । ଡେଙ୍ଗୁ ଜ୍ୱର ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ ।
ସାଧାରଣତଃ ଏହି ମଶା ସକାଳ ଓ ସଂଧ୍ୟା ସମୟରେ କାମୁଡ଼ିଥାନ୍ତି । ସ୍ୱଚ୍ଛ ପାଣିରେ ବଂଶ ବିସ୍ତାର କରିଥାଏ । ଏଡିସ୍ ମଶାର ଅଣ୍ଡା ବର୍ଷେରୁ ଦୁଇ ବର୍ଷ ପାଇଁ ସତେଜ ରହିଥାଏ । କଠିନ ବର୍ଜ୍ୟବସ୍ତୁ ସହିତ ଏଡିସ୍ ମଶାର ଅଣ୍ଡା ଲାଗି ରହିଥାଏ । ବର୍ଷା ଋତୁ ଆସିବା ପରେ ପାଣି ସଂସ୍ପର୍ଶରେ ଆସି ଅଣ୍ଡାରୁ ଛୁଆ ବାହାରେ । ଆଉ ଲୋକଙ୍କୁ କାମୁଡେ ।












Click it and Unblock the Notifications