ସର୍ବାଧିକ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଆକାଉଣ୍ଟ ଖୋଲିବାରେ ଓଡ଼ିଶା ପ୍ରଥମ ରାଜ୍ୟ
: ଆୟୁଷମାନ ଭାରତ ହେଲଥ୍ ଆକାଉଣ୍ଟ-ଆଭା ଆଇଡି ପଞ୍ଜିକରଣ କରିବା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ରାଜ୍ୟର ୧୦ଟି ଜିଲ୍ଲା ଜାତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।
ଭୁବନେଶ୍ୱର: ଆୟୁଷମାନ ଭାରତ ହେଲଥ୍ ଆକାଉଣ୍ଟ-ଆଭା ଆଇଡି ପଞ୍ଜିକରଣ କରିବା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ରାଜ୍ୟର ୧୦ଟି ଜିଲ୍ଲା ଜାତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ବାରାଣାସୀରେ ସାର୍ବଜନୀନ ସ୍ବାସ୍ଥ୍ୟ କଭରେଜ୍ ଦିବସ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରାଜ୍ୟ ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦେଶିକା ଡା. ବୃନ୍ଦା.ଡିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର ଉପସ୍ଥିତ ଥିଲେ।

ଆଭା ଆଇଡି ଏପରି ଏକ ପରିଚୟପତ୍ର ଯାହା ଦ୍ୱାରା ଭାରତର ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ହିତାଧିକାରୀ ନିଜର ମେଡିକାଲ ରେକର୍ଡ ହାସଲ କରିପାରିବେ । ଏଥିରେ ଡିଜିଟାଲ ପଦ୍ଧତ୍ତିରେ ତାଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବିବରଣୀ ରହିଥାଏ ଯାହା ଦ୍ୱାରା ତାଙ୍କର ସଠିକ୍ ଚିକିତ୍ସା କରାଯାଇ ପାରିଥାଏ। ଆଭା ଆଇଡି କାର୍ଡ ସୃଷ୍ଟି ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମଗ୍ର ରାଜ୍ୟରେ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ୍ (ଏମ୍ଆଇଏସ୍) କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି ।
କେନ୍ଦ୍ର ସରକାର ୨୧.୯ ଲକ୍ଷ 'ଆଭା' ଆଇଡି ଖୋଲିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଓଡ଼ିଶାରେ ୪୩,୬୧,୮୯୫ ଆକାଉଣ୍ଟ ଖୋଲାଯାଇଛି। ଏନ୍ସିଡି ପୋର୍ଟାଲ, ଆରସିଏଚ୍, ଇ-ସଞ୍ଜୀବନୀ, ପିଏମ୍ଏନ୍ଡିପି, ନିକ୍ଷୟ ପୋର୍ଟାଲ(ଏନ୍ଟିଇପି) ଜରିଆରେ ଏହି ଆକାଉଣ୍ଟ ଖୋଲାଯାଇଛି। ଯାହାଫଳରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିଲା। ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ୍(ଏମ୍ଆଇଏସ୍) ଅଭିଯାନ ଜରିଆରେ ଆଇଡି ଖୋଲିବା କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା। ଭଦ୍ରକ, ଯାଜପୁର, କଟକ, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ବର, ପୁରୀ ଓ କେନ୍ଦୁଝର ଦେଶର ଶ୍ରେଷ୍ଠ ୧୦ଟି ଜିଲ୍ଲାରେ ସ୍ଥାନ ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।












Click it and Unblock the Notifications