ଆସନ୍ତାକାଲିଠୁ ବିଧାନସଭା ଶୀତ ଅଧିବେଶନ: ସଂଲଗ୍ନ ରାସ୍ତାରେ କଟକଣା; ଜାଣନ୍ତୁ, କେଉଁ ବାଟରେ କେମିତି ଯିବେ ?
ଆସନ୍ତାକାଲି (ବୁଧବାର) ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ସେଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଧାନସଭା ସଂଲଗ୍ନ ସମସ୍ତ ରାସ୍ତାରେ କଟକଣା ଜାରି କରାଯାଇଛି।
ଭୁବନେଶ୍ୱର: ଆସନ୍ତାକାଲି (ବୁଧବାର) ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ସେଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଧାନସଭା ସଂଲଗ୍ନ ସମସ୍ତ ରାସ୍ତାରେ କଟକଣା ଜାରି କରାଯାଇଛି।

ପୂରା ସୁରକ୍ଷା ଦାୟିତ୍ବରେ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେବ। ୬ ଜଣ ଅତିରିକ୍ତ ଡିସିପି, ୧୧ଜଣ ଏସିପି, ୧୩ଇନ୍ସପେକ୍ଟର୍, ୬୨ଜଣ ଏସ୍ଆଇ ଓ ଏଏସ୍ଆଇ ନିୟୋଜିତ ରହିବେ । ଏସ୍ଓଜିର ଦୁଇ ୟୁନିଟ୍ ସ୍ବତନ୍ତ୍ର ତାଲିମପ୍ରାପ୍ତ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ୍ ମୁତୟନ ରହିବେ ।
ସିସିଟିଭି କ୍ୟାମେରାରେ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ରବୀନ୍ଦ୍ର ମଣ୍ଡପ ଏବଂ ଗାନ୍ଧୀ ମାର୍ଗରେ ଦୁଇଟି କଣ୍ଟ୍ରୋଲ ରୁମ୍ ରହିବ । ଗାନ୍ଧୀମାର୍ଗରେ ଉଭୟ ଧାରଣାସ୍ଥଳ ଓ ବିଧାନସଭାର ଚାରିପାଖ ସିସିଟିଭି ଅନ୍ତର୍ଭୁକ୍ତ ରହିବ । ସେହିପରି ଟ୍ରାଫିକ୍ ପରିଚାଳନା ପାଇଁ ୧ ପ୍ଲାଟୁନ୍ ଫୋର୍ସ ନିୟୋଜିତ ରହିବେ । ଏହାବାଦ୍ ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫ୍-ଟପ୍ ସିକ୍ୟୁରିଟି, ସାର୍ପ ସୁଟର୍ମାନଙ୍କ ମଧ୍ୟ ମୁତୟନ କରାଯିବ ।
କେଉଁ ବାଟରେ କେମିତି ଯିବେ ?
କମିଶନରେଟ୍ ପୁଲିସ୍ ପକ୍ଷରୁ ସର୍ବସାଧାରଣଙ୍କ ଉଦ୍ଦ୍ୟେଶରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ହାଉସିଂ ବୋର୍ଡ ଛକ ପଟୁ ଆସୁଥିବା ଗାଡ଼ି ଗୁଡ଼ିକ କେଶରୀ ଟକିଜ୍ ଠାରୁ ଆଗକୁ ନଯାଇ ବାମ ପଟ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ।
ସେହିପରି ଏଜି ଛକ ପଟୁ ପିଏମ୍ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଗୁଡ଼ିକ ଜୟଦେବ ଭବନ ପାଖରେ ଅଟକି ଡାହାଣ ପଟରେ ଥିବା ଇନ୍ଦିରା ଗାନ୍ଧି ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ।
ମାଷ୍ଟର କ୍ୟାଣ୍ଟିନ ପଟୁ ଅପର ପିଏମ୍ଜି ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଗୁଡ଼ିକ ଲୋୟର ପିଏମ୍ଜି ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ। କିନ୍ତୁ ସେମାନଙ୍କୁ ମହାତ୍ମା ଗାନ୍ଧି ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ।
୧୨୦ ବାଟାଲିୟନ ଛକ ପଟୁ ପିଏମ୍ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଗୁଡ଼ିକ ପାୱାର ହାଉସ୍ ଛକ ଆଡ଼କୁ ଯିବେ। ରାଜଭବନ ଛକ ପଟୁ ଏମ୍ଏଲ୍ଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ସମସ୍ତ ଗାଡ଼ି ଗୁଡ଼ିକ ଶାସ୍ତ୍ରୀ ନଗର ଆଡ଼କୁ ଯିବେ।
ଆସନ୍ତାକାଲି ଠାରୁ ଡିସେମ୍ବର ୩୧ ତାରିଖ- ବିଧାନସଭା ଅଧିବେଶ ଚାଲୁଥିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ତେବେ ଏହି କଟକଣା ବିଧାନସଭା, ଲୋକସେବା ଭବନ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବ ନାହିଁ।












Click it and Unblock the Notifications