ବିଧାନସଭା: ଶିକ୍ଷକ ସଂଘ ଆନ୍ଦୋଳନ ପ୍ରସଙ୍ଗରେ ଆଜି କମ୍ପିଲା ଗୃହ
ଗୃହରେ ପ୍ରବଳ ହଟ୍ଟଗୋଳ ହେବା ପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ପୁଣି ଥରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ଭୁବନେଶ୍ବର: ରାଜଧାନୀରେ ତୃତୀୟ ଦିନରେ ଜାରି ରହିଛି ଶିକ୍ଷକ ସଂଘ ଆନ୍ଦୋଳନ । ତେବେ ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନରେ ଆଜି ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିରେ ବିଜ୍ଞାନ ଓ କାରାଗରୀ ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖିଛନ୍ତି ।

ସେ କହିଛନ୍ତି, ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ସରକାର ସଚେତନ ରହିଛନ୍ତି । ଗତକାଲି ସଚିବ ଶିକ୍ଷକ ସଂଘ ସହ ଆଲୋଚନା କରିଛନ୍ତି । ଦୀର୍ଘ ୪୫ ମିନିଟ ଧରି ଆଲୋଚନା ହୋଇଛି । ବିଭାଗୀୟ ସଚିବ ଦାବି ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଏବେ ଆଲୋଚନା ପାଇଁ ଦ୍ୱାର ଖୋଲା ଅଛି। ଆମେ ଆଲୋଚନାର ଦ୍ୱାର ବନ୍ଦ କରି ଦେଇନୁ । ଏଥିରେ କିଛି ଆନ୍ତଃ ବିଭାଗୀୟ ବିଷୟବସ୍ତୁ ରହୁଥିବାରୁ ତା ଉପରେ ଆଲୋଚନା ଚାଲିଛି । ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଜିଦ ଅଟଳ ରହିଛନ୍ତି ବିରୋଧୀ । ଗୃହରେ ପ୍ରବଳ ହଟ୍ଟଗୋଳ ହେବା ପରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ପୁଣି ଥରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ସେପଟେ ଆଜି ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମାଲୋଚନା କରିଥିଲେ । ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ଯାହା ପଦକ୍ଷେପ ନିଆଯାଉଛି, ତାହା କେବଳ ଧର୍ମକୁ ଆଖି ଠାର ଭଳି ବୋଲି ନରସିଂହ ମିଶ୍ର କହିଛନ୍ତି ।
ଏହି ଘଟଣାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ରାଜଧାନୀରେ ଶିକ୍ଷକ ଆନ୍ଦୋଳନ ପାଇଁ ସ୍କୁଲରେ ତାଲା ପଡ଼ିଛି। କିନ୍ତୁ ଗଣଶିକ୍ଷା ମନ୍ତ୍ରୀ ଯାଇ ପଦ୍ମପୁରରେ ନିର୍ବାଚନ ପ୍ରଚାର କରୁଛନ୍ତ।, ଏହା ଦୁର୍ଭାଗ୍ୟଜନକ। ବାଚସ୍ପତିଙ୍କ ରୁଲିଂ ପରେ ଗଣଶିକ୍ଷା ସଚିବ ପ୍ରାଥମିକ ଶିକ୍ଷକ ସଂଘ ସହ ଆଲୋଚନା କରିଛନ୍ତି। ଶିକ୍ଷକମାନେ ଦାବି ସମ୍ପର୍କରେ ପୂର୍ବରୁ ସରକାରଙ୍କୁ ଜଣାଇଛନ୍ତି। ହେଲେ ଦୁର୍ଭାଗ୍ୟର କଥା ଯେ ଗତକାଲି କିନ୍ତୁ ସଚିବ କହୁଛନ୍ତି ମୁଁ ନୂଆ କରି ଆସିଛି, ଦାବି ସମ୍ପର୍କରେ ଅଜ୍ଞ।
ଯାହାର ପାଲଟା ଜବାବରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ ବିଜେଡି ବିଧାୟକ ଅମର ଶତପଥୀ । ସେ କହିଥିଲେ ଯେ, ଏନଡିଏ ଆସିବା ପରେ କାହିଁକି ସର୍ବ ଶିକ୍ଷା ଅଭିଯାନ ବନ୍ଦ ହେଲା । ସେଥିରେ ଶିକ୍ଷକ ନିଯୁକ୍ତି ହେଉଥିଲା, ସ୍କୁଲ ନିର୍ମାଣ ହେଉଥିଲା । ଏ କଣ ଅଛେ ଦିନ ?
ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଲକ୍ଷ ଲକ୍ଷ ଶିକ୍ଷକ ରାଜରାସ୍ତାରେ ହେଲେ ଗଣଶିକ୍ଷା ମନ୍ତ୍ରୀ ଯାଇ ପଦ୍ମପୁରରେ ନିର୍ବାଚନ ପ୍ରଚାର କରୁଛନ୍ତି, ଏହା ଦୁର୍ଭାଗ୍ୟଜନକ। ଶିକ୍ଷକମାନଙ୍କ ତିନି ଦଫା ଦାବି ନେଇ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ, ନଚେତ ଗୃହକୁ ଚଳାଇ ଦିଆଯିବନି।












Click it and Unblock the Notifications