ଆସନ୍ତାକାଲିଠୁ ବିଧାନସଭା, ରଣନୀତି ପ୍ରସ୍ତୁତ କଲା ବିଜେପି
ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା, ମହିଳାଙ୍କ ସୁରକ୍ଷା, ପିଏମ ଆବାସ ଯୋଜନାରେ ଘୋଟାଲା , ମଣ୍ଡି ଅବ୍ୟବସ୍ଥା ଓ ସୀମା ବିବାଦ ଆଦିକୁ ପ୍ରସଙ୍ଗ କରିବ ବିଜେପି ।
ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେସନ । ତେବେ ଏନେଇ ଆଜି ୩ ପ୍ରମୁଖ ଦଳ- ବିଜେଡି,ବିଜେପି ଓ କଂଗ୍ରେସ ନିଜର ରଣନୀତି ଚୂଡ଼ାନ୍ତ କରିଛନ୍ତି। ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ପ୍ରଶ୍ନକାଳ ନାହିଁ । ମାତ୍ର ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ପରିବେଶକୁ ସରଗରମ କରିବାକୁ ସଜବାଜ ହେଉଛନ୍ତି ବିରୋଧି ।

ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା, ମହିଳାଙ୍କ ସୁରକ୍ଷା, ପିଏମ ଆବାସ ଯୋଜନାରେ ଘୋଟାଲା , ମଣ୍ଡି ଅବ୍ୟବସ୍ଥା ଓ ସୀମା ବିବାଦ ଆଦିକୁ ପ୍ରସଙ୍ଗ କରିବ ବିଜେପି । ଏହା ଛଡା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଗୋଟିଏ ଦିନରେ ୨ଟି ହାଜତ ମୃତ୍ୟୁ, ବେରୋଜଗାର, ହିତାଧିକାରୀଙ୍କୁ ଘର ଦେବା ପାଇଁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯିବ, କୋଭିଡ୍ ପରିଚାଳନାରେ ବିଫଳତା, ସୀମା ସୁରକ୍ଷା ଆଦି ପ୍ରସଙ୍ଗକୁ ବିଜେପି ଗୃହରେ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିବ ବୋଲି ଜଣାପଡ଼ିଛି।
ଏହାସହିତ ରାଜ୍ୟର ବିଭିନ୍ନ ସମସ୍ୟା ଉଠାଇବା ସହ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଉପରେ ସରକାରଙ୍କୁ ପ୍ରଶ୍ନ କରିବ ବୋଲି ଜଣାପଡ଼ିଛି।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବିଧାୟକ ଦଳ ବୈଠକ ବସି ବିଧାନସଭା ପାଇଁ ରଣନୀତି ଚୂଡ଼ାନ୍ତ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ କଂଗ୍ରେସ ବିଧାୟକ ଦଳ ଉପନେତା ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ଦଳ ପକ୍ଷରୁ ହାଜତ ମୃତ୍ୟୁ ପ୍ରସଙ୍ଗ ସହ ରାଜ୍ୟର ବେକାରୀ ଓ ପ୍ରବାସୀ ଶ୍ରମିକ ସମସ୍ୟା, ଧାନମଣ୍ଡିରେ ଅବ୍ୟବସ୍ଥା, ପୁରୀ ହାଜତ ମୃତ୍ୟୁ, ସ୍କୁଲ ଖୋଲିବା ଓ ଖଣିଜ ସମ୍ପଦ ପ୍ରସଙ୍ଗ ଉଠାଇବ। ମାଲକାନଗିରି ଜିଲ୍ଲାପାଳଙ୍କ ହତ୍ୟା ସମ୍ପୃକ୍ତି ପ୍ରସଙ୍ଗକୁ ବି ଦଳ ଗୃହରେ ଉଠାଇବ।
ସୂଚନାଯୋଗ୍ୟ, ଆସନ୍ତାକାଲି ଶୀତ ଅଧିବେଶନର ପ୍ରଥମ ଦିନରେ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ବଜେଟ ଉପସ୍ଥାପନ ହେବ ବୋଲି ସୂଚନା ମିଳିଛି।












Click it and Unblock the Notifications