ଆଜିଠୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ: ନବନିର୍ବାଚିତ ବିଧାୟକ ନେବେ ଶପଥ
୨୦୨୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ମଙ୍ଗଳବାର ଏବଂ ବୁଧବାର ଶପଥ ଗ୍ରହଣ କରିବେ । କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେଇଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ କରାଇବେ । ନିୟମାନୁଯାୟୀ, ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶପଥ ଗ୍ରହଣ କରିବା ପରେ ଯାଇ ଅନ୍ୟ ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଶପଥ ନେଇପାରିବେ।
ମଙ୍ଗଳବାର ଏବଂ ବୁଧବାର ଦୁଇ ଦିନ ୧୦ଟାରୁ ୫ଟା ଭିତରେ ସମସ୍ତ ବିଧାୟକ ଶପଥ ଗ୍ରହଣ କରିବେ। ତେଣୁ ଏଥିଲାଗି ବିଧାନସଭା ଭିତରେ ଏବଂ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସମସ୍ତ ନିର୍ବାଚିତ ବିଧାୟକ ପ୍ରାର୍ଥୀମାନେ ଏହି ଶପଥ ପାଠ କରିସାରିଲେ ହିଁ ବିଧାନସଭାର ସମସ୍ତ କାର୍ଯ୍ୟରେ ସାମିଲ ହୋଇପାରିବେ । ଯେପରି ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାଚସ୍ପତି ନିର୍ବାଚନ, ସେଥିରେ ମଧ୍ୟ ଶପଥ ନେଇସାରିବା ପରେ ବିଧାୟକମାନେ ଭାଗ ନେଇପାରିବେ। ଯେଉଁମାନେ ଏହି ଦୁଇ ଦିନରେ କୌଣସି କାରଣବଶତଃ ଶପଥ ନ ନେଲେ ସେମାନେ ବାଚସ୍ପତି ନିର୍ବାଚନରେ ଭୋଟ୍ ଦେଇପାରିବେ ନାହିଁ । ନୂଆ ବାଚସ୍ପତି ଆସିବା ପରେ ତାଙ୍କ ଚାମ୍ବରରେ ଯାଇ ଶପଥ ନେବେ।
ବିଧାନସଭା ଜଗିବେ ୮ ପ୍ଲାଟୁନ୍
ବିଧାନସଭା ଜଗିବେ ୮ ପ୍ଲାଟୁନ୍ । ବିଧାନସଭା ସୁରକ୍ଷା ଯାଞ୍ଚ କଲେ ଡିଜିପି ଅରୁଣ ଷଡ଼ଙ୍ଗୀ । ୩ ଦିନିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପରେ ପ୍ରତିକ୍ରିୟା ରଖିଲେ ଡିଜିପି । ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ୍ ମୁତୟନ ରହିବେ ବୋଲି ସେ କହିଛନ୍ତି।
ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ସେ କହିଛନ୍ତି । କେବଳ ପାସଧାରୀ ପ୍ରବେଶ କରିବେ । ସେହିପରି ୧୮ ଓ ୧୯ରେ ଶପଥ ପାଠ ହେବ । ୨୦ରେ ବାଚସ୍ପତି ନିର୍ବାଚନ ହେବ ।
ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ
ଲୋୟର ପିଏମଜିରେ ଏଥର ଧାରଣା ପାଇଁ ଅନୁମତି ମିଳିବ ନାହିଁ। ତଥାପି ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ସଂଲଗ୍ନ ରାସ୍ତାରେ ସିସିଟିଭି ବ୍ୟବସ୍ଥା ହେବ। ସୁରକ୍ଷାକୁ ଅଧିକ କଡାକଡି କରିବା ପାଇଁ ଅସ୍ଥାୟୀ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଆହୋରାତ୍ର ଜଗିବେ। ବିଧାନସଭା ଛାତ ଉପରେ ରୁଫ ଟଫ ପୋଲିସ ରହିବେ। ପ୍ରବେଶ ପଥରେ ଚେକପୋଷ୍ଟ କରାଯିବା ସହିତ ବିଧାନସଭାକୁ ସଂଯୋଗ କରୁଥିବା ରୁଟକୁ ଡାଇଭର୍ଟ କରାଯିବ ।












Click it and Unblock the Notifications