ଆଜିଠାରୁ ସପ୍ତଦଶ ବିଧାନସଭା ଅଧିବେଶନ; ଦୁଇଟି ପର୍ଯ୍ୟାୟରେ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ
ଆଜିଠାରୁ (ସୋମବାର) ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା । ବିଧାନସଭାରେ ଗୃହ କାର୍ଯ୍ୟ ଯେପରି ସୁରୁଖୁରୁରେ ଚାଲିବ ସେନେଇ ବାଚସ୍ପତି ସୁରମା ପାଢ଼ୀ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ସମସ୍ତ ବିଧାୟକଙ୍କ ସହଯୋଗ ଲୋଡ଼ିଛନ୍ତି ।
ରାଜ୍ୟରେ ବିଜେପି ଏକାକୀ ସରକାର ଗଢ଼ିବା ପରେ ଏହା ହେବ ବିଧାନସଭାର ପ୍ରଥମ ଅଧିବେଶନ । ସୁରମା ପାଢ଼ୀ ବି ବାଚସ୍ପତି ଭାବେ ପ୍ରଥମ ଥର ପାଇଁ କାର୍ଯ୍ୟ କରିବେ । ତେଣୁ ଗୃହ ପରିଚାଳନା କିପରି ସୁରୁଖୁରୁରେ ହେବ ସେନେଇ ବାଚସ୍ପତି ବିରୋଧୀ ଦଳର ସହଯୋଗ ଲୋଡ଼ିଛନ୍ତି ।

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେଡି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଡକାଯାଇଥିଲେ ମଧ୍ୟ ସେ ଆସିନଥିଲେ।
ତେବେ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଡକାଯାଇଥିଲେ ହେଁ ବୈଠକ ଆରମ୍ଭ ହେବା ପର୍ଯ୍ୟନ୍ତ ବିଧାୟକ ଦଳ ନେତା ବଛା ହୋଇନଥିବାରୁ କଂଗ୍ରେସ ତରଫରୁ ଏହି ବୈଠକରେ କେହି ଯୋଗଦେଇନଥିଲେ। ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ବୈଠକକୁ ଡକାଯାଇଥିଲେ ବି ସେ ଯୋଗଦେଇନାହାନ୍ତି।
ବୈଠକ ପରେ ବାଚସ୍ପତି କହିଛନ୍ତି ଯେ ବିଧାନସଭା ଅଧିବେଶନ କିପରି ସୁଚାରୁ ରୂପେ ସମ୍ପାଦନ ହେବ ସେ ନେଇ ସମସ୍ତଙ୍କ ମତାମତ ନିଆଯାଇଛି । ଆଜି ସକାଳ ୧୧ଟାରୁ ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ସେହିପରି ବିଜେଡି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଗୃହ କିପରି ସୁରୁଖୁରୁରେ ଚାଲିବ ସେନେଇ ଆଲୋଚନା ହୋଇଛି।
ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଓ ବଜେଟ ନେଇ ଆଲୋଚନା କରାଯାଇଛି। ସୂଚନାଯୋଗ୍ୟ ଯେ ଆଜି ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ୨୪ତାରିଖରେ ଉପବାଚସ୍ପତି ନିର୍ବାଚନ ହେବ । ୨୫ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜୁଲାଇ ୩୧ରେ ଶେଷ ହେବ । ଅଗଷ୍ଟ ୨୦ରୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ ।












Click it and Unblock the Notifications