ଧାନ କିଣାକୁ ନେଇ ଗୃହରେ ଉତ୍ତର ରଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏବେ ବି ଧାନ କ୍ରୟ ଜାରି ରହିଛି ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏବେ ବି ଧାନ କ୍ରୟ ଜାରି ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ ଟନ ଧାନ କିଣାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବ । ବିଗତ ଖରିଫ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ କିଣା ଯାଇଛି ।
ବିଗତ ଖରିଫରେ ଏହି ସମୟ ସୁଦ୍ଧା 51.73 ଲକ୍ଷ ମେଟ୍ରିକ ଟନ୍ ଧାନ କ୍ରୟ କରଯାଇଥିଲା । ବିଗତ ଖରିଫ ତୁଳନାରେ ଚଳିତ ଖରିଫରେ ଧାନ କ୍ରୟର ହାର 18% ଅଧିକ ରହିଛି ବୋଲି ନିଜ ବିବୃତ୍ତିରେ କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଏହାପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ବିଧାୟକଙ୍କ ଆଲୋଚନା ପରେ ଆଜି ଗୃହ ସ୍ୱାଭାବିକ ହୋଇଥିଲା । ଦୀର୍ଘ ୬ ଦିନ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଥିଲା । ଆଉ ମୁଖ୍ୟମନ୍ତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୃହରେ ଧାନ କିଣା ପ୍ରସଙ୍ଗକୁ ନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।
ବିଗତ ଧାନ ସଂଗ୍ରହ ବର୍ଷ 2017-18, 2018-19 ଓ 2019-20ର ଖରିଫରେ ଯଥା କ୍ରମେ ସର୍ବମୋଟ 38.21 ଲକ୍ଷ ମେଟ୍ରିକ ଟନ୍, 51.56 ଲକ୍ଷ ମେଟ୍ରିକ ଟନ୍ ଓ 53.31 ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହେଇଥିଲା। ସେହିପରି ଉକ୍ତ ବର୍ଷ ମାନଙ୍କରେ ଖରିଫରେ ସରକାରଙ୍କୁ ଧାନ ବିକ୍ରୀ କରିଥିବା ଚାଷୀଙ୍କର ସଂଖ୍ୟା ଯଥା କ୍ରମେ 6.87 ଲକ୍ଷ, 8.64 ଲକ୍ଷ ଓ 9.56 ଲକ୍ଷ ରହିଥିଲା ଏବଂ କ୍ରୟ କରାଯାଇଥିବା ଧାନର ମୂଲ୍ୟ ଯଥା କ୍ରମେ 5,923 କୋଟି, 9,024 କୋଟି ଓ 9,676 କୋଟି ରହିଥିଲା ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେପଟେ ଟୋକନ ଜାଲିଆତି କରି ଧାନ ବିକୁଥିବା ଚାଷୀଙ୍କ କ୍ଷେତ୍ରରେ ପଦକ୍ଷେପ ନିଆଯାଉଛି । ପଞ୍ଜିକୃତ ଚାଷୀ ଧାନ କିଣାରୁ ବଞ୍ଚିତ ହେବେ ନାହିଁ ବୋଲି ସେ କହିଛନ୍ତି । ଗଜପତି ଏବଂ ଭଦ୍ରକ ଜିଲ୍ଲାରେ ଧାନ କ୍ରୟ କାର୍ଯ୍ୟରେ ଜାଲିଆତି କରିଥିବା ଦୁଇ ଜଣ ଚାଷୀଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରାଯାଇଛି । ଯେଉଁ ଜିଲ୍ଲା ଗୁଡିକରେ ତଦନ୍ତ କାର୍ଯ୍ୟ ଚାଲୁ ରହିଛି ତାହା ଠିକଣା ସମୟରେ ସମାପନ କରାଯିବ ଏବଂ ପଞ୍ଜିକୃତ ହୋଇଥିବା ପ୍ରକୃତ ଚାଷୀମାନଙ୍କର ଧାନ 31 ମାର୍ଚ୍ଚ 2021 ପୂର୍ବରୁ ଉଠା ହେବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।












Click it and Unblock the Notifications