ଓଡ଼ିଶା ବିଧାନସଭା ଅଧିବେଶନ; ପୂରଣ ହେବ ୬୫ ହଜାର ସରକାରୀ ପଦବୀ, ଆଉ କ'ଣ କ'ଣ କହିଲେ ରାଜ୍ୟପାଳ ?
ଓଡିଶାରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ୨ ବର୍ଷ ଭିତରେ ପୂରଣ ହେବ ୬୫ ହଜାର ସରକାରୀ ପଦବୀ । ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସୁରକ୍ଷା ଓ ଗୁଣାତ୍ମକ ସ୍ବାସ୍ଥ୍ୟସେବାର ଉପଲବ୍ଧତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସରକାର ସମସ୍ତ ଯୋଗ୍ୟ ଓଡ଼ିଶାବାସୀଙ୍କ ପାଇଁ ସାର୍ବଜନୀନ ସ୍ବାସ୍ଥ୍ୟବୀମା ପ୍ରଦାନ କରିବେ ବୋଲି ରାଜ୍ୟପାଳ କହିଛନ୍ତି । ଏପରିକି ଗର୍ଭବତୀଙ୍କୁ ପୁଷ୍ଟିକର ଆବଶ୍ୟକତା ପୂରଣ ପାଇଁ ଆର୍ଥିକ ସହାୟତା ମିଳିବ।
ସରକାର ନିରପେକ୍ଷତାର ସହ କାମ କରିବ। ଯୁବକଙ୍କୁ ରୋଜଗାର ଦେବା ସରକାରର ପ୍ରାଥମିକତା ଅଟେ। ଯେଉଁ ପ୍ରତିଶ୍ରୁତି ସବୁ ଦିଆଯାଇଛି ତାହା ପୂରଣ କରାଯିବ। ସରକାର ଗଠନ ହେବା ମାତ୍ରେ କିଛି ପ୍ରତିଶ୍ରୁତି ପୂରଣ ହୋଇଛି।
ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୧୦ ଲକ୍ଷ ଓ ସହରାଞ୍ଚଳରେ ୫ ଲକ୍ଷ ଘର କରିବାକୁ ଲକ୍ଷ୍ୟ ରଖାଯାଇଛି । ଅଙ୍ଗନାବାଡିକୁ ମଧ୍ୟ ୨୦୩୦ ସୁଦ୍ଧା ସକ୍ଷମ ଅଙ୍ଗନବାଡିରେ ପରିଣତ କରାଯିବ । ଏଥିସହ ସରକାରୀ ବିଦ୍ୟାଳୟରେ 'ଏଆଇ'ର ବ୍ୟବହାର କରାଯିବ ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ ସୂଚନା ଦେଇଛନ୍ତି । ଅନ୍ୟପଟେ ଧାମରା, ପାରାଦୀପ, ଗୋପାଳପୁର ବନ୍ଦରର ଆଖପାଖ ଅଞ୍ଚଳରେ ନୂତନ ଶିଳ୍ପାଞ୍ଚଳର ବିକାଶ ହେବ । ଓଡିଆ ଚଳଚିତ୍ର ଶିଳ୍ପକୁ ଚଳଚଞ୍ଚଳ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି ।

ଅନ୍ୟପଟେ ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତ କରାଯିବ । ଏଥିସହ ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନାମ ପରିବର୍ତ୍ତନ କରି ଏହାକୁ ଆରୋଗ୍ୟ ମନ୍ଦିର କୁହାଯିବ ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି । ଏହାସହ ୨୦୩୦ ସୁଦ୍ଧା ଓଡିଶାକୁ ମ୍ୟାଲେରିଆ ମୁକ୍ତ କରାଯିବ ବୋଲି ସେ କହିଛନ୍ତି । ସେହିପରି ବଲାଙ୍ଗୀର, କଳାହାଣ୍ଡି, ବରଗଡ ଓ ନୂଆପଡାରେ ୧୦ଟି ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବ । ଭାରତ ବର୍ଷରେ ଓଡିଶା ବାଜରାର ହବ୍ ହେବ ବୋଲି ରାଜ୍ୟପାଳ କହିଛନ୍ତି ।
ଏଥିସହ ଦୁଇ ବର୍ଷ ଭିତରେ ୬୫ ହଜାର ସରକାରୀ ପଦବୀ ପୂରଣ କରାଯିବ । ଶିଳ୍ପ କ୍ଷେତ୍ରରେ ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାରରୁ ଅଧିକ ଯୁବକ, ଯୁବତୀଙ୍କୁ ନିଯୁକ୍ତ କରାଯିବ ବୋଲି ରାଜ୍ୟପାଳ ନିଜର ଅଭିଭାଷଣରେ କହିଛନ୍ତି ।












Click it and Unblock the Notifications