Odisha Assembly: ବିଧାନସଭାରେ ପୁଣି ଉଠିଲା ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ
ବିଧାନସଭାରେ ପୁଣି ଉଠିଲା ବହୁଚର୍ଚ୍ଚିତ ପୂର୍ବ ସରକାର ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ । ଶାସକ ଦଳର ବିଧାୟକ ଟଙ୍କଧର ତ୍ରିପାଠୀ ଏହି ମାମଲାର ତଦନ୍ତର ସ୍ଥିତାବସ୍ଥା ସମ୍ପର୍କରେ ଜାଣିବାକୁ ପ୍ରଶ୍ନ କରିଥିଲେ । ଏହି ହତ୍ୟା ଘଟଣାର ତଦନ୍ତ ବର୍ତ୍ତମାନ କେଉଁ ସ୍ତରରେ ରହିଛି ଓ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଏହି ଘଟଣାରେ କାହା ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ତଦନ୍ତ ସମୟରେ ମୃତ ପରିବାରର କେଉଁ କେଉଁ ସଦସ୍ୟଙ୍କ ବୟାନ ରେକର୍ଡ ହୋଇଛି, ଏହି ହତ୍ୟାକଣ୍ଡ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଆମେରିକାର ତଦନ୍ତକାରୀ ସଂସ୍ଥା 'ଏଫବିଆଇ'କୁ କେବେ କେଉଁ ଉପାୟରେ ତଦନ୍ତ ପାଇଁ ଅନୁରୋଧ କରିଥିଲେ ବୋଲି ଏକ ଲିଖିତ ପ୍ରଶ୍ନ କରିଥିଲେ ଟଙ୍କଧର ।

ମାତ୍ର ସରକାରଙ୍କ ପକ୍ଷରୁ ଟଙ୍କଧରଙ୍କ ପ୍ରଶ୍ନରେ କୌଣସି ତତ୍କାଳ ଉତ୍ତର ପ୍ରଦାନ କରାଯାଇ ନାହିଁ । ଏହି ମାମଲାରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟରେ ଗତ 6 ମାସ (ଜୁନ-ନଭେମ୍ବର) ମଧ୍ୟରେ 509 ଟି ଧର୍ଷଣ, 41 ଧର୍ଷଣ ଉଦ୍ୟମ, 769 ନାବାଳିକା ଦୁଷ୍କର୍ମ ମାମଲା ପଞ୍ଜୀକୃତ ହେଇଛି । ସେହିପରି ରାଜ୍ୟରେ ମୋଟ 459 ହତ୍ୟା ମାମଲା ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରେ 161ଟି ମହିଳା ହତ୍ୟାକାଣ୍ଡ ରହିଛି । ମୋଟ ମହିଳା ନିର୍ଯାତନା ମାମଲା 9248 ଟି ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରେ ଯୌତୁକଜନିତ ହତ୍ୟାକାଣ୍ଡ 24 ଟି ଓ 5398 ଟି ଯୌତୁକଜନିତ ନିର୍ଯାତନା ମାମଲା ରହିଛି । ଆଜି ବିଧାନସଭାରେ ଗୃହ ବିଭାଗ ନିଜ ଅଧୀନରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି । ଜଣେ ସଦସ୍ୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବର୍ତ୍ତମାନ ଅପରାଧିକ ସ୍ଥିତି ସମ୍ପର୍କରେ ଲିଖିତ ଉତ୍ତରରେ ଗୃହକୁ ଏହି ତଥ୍ୟ ଆଧାରରେ ଅବଗତ କରିଛନ୍ତି ।
ଦୁର୍ନୀତି ମାମଲାରେ ରାଜ୍ୟ ସରକାର ଅନେକ ଭ୍ରଷ୍ଟ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତଥ୍ୟ ରଖିଛନ୍ତି । ବିରୋଧୀ ଦଳ ବିଜେଡି ବିଧାୟକ ତଥା ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କ ଏହି ସମ୍ପର୍କିତ ପ୍ରଶ୍ନରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, କ୍ଷମତାକୁ ଆସିବାର 5 ମାସ ଭିତରେ 90 ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ଏମାନଙ୍କ ମଧ୍ୟରେ ସର୍ବାଧିକ ରାଜସ୍ବ ବିଭାଗର 20 ଅଧିକାରୀ ରହିଛନ୍ତି । ଏହାପଛକୁ 18 ଅଧିକାରୀଙ୍କ ସହ ପଞ୍ଚାୟତିରାଜ ବିଭାଗ କାର୍ଯ୍ୟାନୁଷ୍ଠାନର ଦ୍ବିତୀୟ ସ୍ଥାନରେ ରହିଛି ।












Click it and Unblock the Notifications