ସୁଭଦ୍ରା ଯୋଜନାକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ; ଅପରାହ୍ନ ୪ଟା ଯାଏଁ ମୁଲତବି
ସୁଭଦ୍ରା ଯୋଜନାକୁ ନେଇ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ଯୋଜନାରେ ସବୁ ମହିଳାଙ୍କୁ ସାମିଲ୍ ଦାବିରେ ହଟ୍ଟଗୋଳ କଲେ ବିରୋଧୀ । ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ।

ବିଧାନସଭା ଆରମ୍ଭରେ ସୋମବାର ଗୃହରେ ସୁଭଦ୍ରା ଯୋଜନାକୁ ନେଇ ହୋହଲ୍ଲା ହୋଇଛି। ସୁଭଦ୍ରା ଯୋଜନାରେ ପ୍ରତିଶ୍ରୁତି ପାଳନ ହୋଇ ନ ଥିବା ଅଭିଯୋଗରେ ଏହି ହୋହଲ୍ଲା ହୋଇଛି। ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବାକୁ ଦାବି କରି ପ୍ରଥମେ ଗୃହରେ ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ବିଜେଡି ସଦସ୍ୟଙ୍କ ହୋହଲ୍ଲା କରିଥିଲେ । ପରେ କଂଗ୍ରେସ ବିଧାୟକମାନେ ମଧ୍ୟ ବିଜେଡି ସଦସ୍ୟମାନଙ୍କ ସହ ନାରାବାଜୀ ଦେଇଥିଲେ। ସେସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ ପ୍ରଶ୍ନର ଉତ୍ତର ଦେଉଥିଲେ। ହେଲେ ବିରୋଧୀଙ୍କ ହୋହଲ୍ଲା ଯୋଗୁ ବାଧ୍ୟହୋଇ ଦିନ 4ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ।
ଆଜି ବିଧାନସଭା ଆରମ୍ଭରେ ଦିବଙ୍ଗତ ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଥିଲେ। ତାପରେ ତାଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା।
ଓଡ଼ିଶାରେ ପ୍ରତିଷ୍ଠା ହୋଇନପାରେ ହାଇକୋର୍ଟ ବେଞ୍ଚ । ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ସୁପ୍ରିମକୋର୍ଟ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ ବୋଲି ସେ କହିଛନ୍ତି ।
ସୂଚନାଥାଉକି, ୨୦୨୩ ଫେବ୍ରୁଆରୀ ୭ ତାରିଖରେ ଟେକ୍ନୋଲୋଜି ଉପଯୋଗରେ କୋର୍ଟ କାର୍ଯ୍ୟ ସମ୍ଭବପର ହୋଇପାରୁଥିବାବେଳେ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନର ଯଥାର୍ଥତା ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ବଲାଙ୍ଗୀରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ପ୍ରଶ୍ନ କରିଥିଲେ ବିଧାୟକ କଳିକେଶ ସିଂହଦେଓ।












Click it and Unblock the Notifications