ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଶେଷ; ବହୁ ବର୍ଷ ପରେ ପୂର୍ଣ୍ଣକାଳୀନ ଅଧିବେଶନ
ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଶେଷ ହୋଇଛି । ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୩୧ ତାରିଖ ଯାଏ ଚାଲିଥିଲା । ଅଗଷ୍ଟ ୨୦ରୁ ଆରମ୍ଭ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ଆଜି ଶେଷ ହୋଇଛି । ହେଲେ ଏହି ଅଧିବେଶନରେ ଆଉ ଦୁଇଟି କାର୍ଯ୍ୟଦିବସ ବାକି ଥିଲା । ମାତ୍ର ଗୃହରେ କୌଣସି ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟ ନଥିବାରୁ ଅଧିବେଶନକୁ ଶେଷ କରିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିଲେ । ତାହା ବାଚନିକ ଭୋଟ୍ରେ ପାରିତ ହୋଇଥିଲା। ଏହି ଅଧିବେଶନ ଅନେକ ଦୃଷ୍ଟିରୁ ଥିଲା ଗୁରୁତ୍ବପୂର୍ଣ୍ଣ ।
ଅଧିବେଶନ ସରିବା ପୂର୍ବରୁ କଂଗ୍ରେସ, ବିଜେଡି ବିଧାୟକଙ୍କ ମଧ୍ୟରେ ଦେଖାଦେଇଥିଲା ହଟ୍ଟଗୋଳ। ବିଧାନସଭାରେ କଂଗ୍ରେସ ଓ ବିଜେଡି ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ୩ ବିଧାୟକଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବକୁ ବିରୋଧ କରି ବିରୋଧୀ କଂଗ୍ରେସ ଏବଂ ବିଜେଡି ସଦସ୍ୟ ହଟ୍ଟଗୋଳ କରିଥିଲେ ଗୃହ ଭିତରେ। ଏପରିକି ବାଚସ୍ପତିଙ୍କ ପୋଡ଼ିୟମ ତଳେ ନାରାବାଜି ସହ ହଟ୍ଟଗୋଳ କରିଥିଲେ ବିରୋଧୀ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି,ବିଜେଡି ବିଧାୟକ ଧ୍ରୁବ ସାହୁ, ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ । ତେବେ ଏନେଇ ଶାସକ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କଲା ପରେ ଏହା ଥିଲା ପ୍ରଥମ ଅଧିବେଶନ। ପ୍ରଥମ ଥର ପାଇଁ ବିଜେଡି ବିରୋଧୀ ଦଳ ଆସନରେ ବସିଥିଲା। ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକ ଏଥର ବିରୋଧୀ ଦଳ ନେତାଙ୍କ ଆସନରେ ବସିଥିଲେ। ସେହିପରି ଗତ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ଆସନରେ ବସିଥିବା ମୋହନ ଚରଣ ମାଝୀ ଏଥର ମୁଖ୍ୟମନ୍ତ୍ରୀଙ୍କ ଆସନରେ ବସିଥିଲେ। ଏହି ଅଧିବେଶନରେ ମୋଟ୍ ୨୫ଟି କାର୍ଯ୍ୟଦିବସ ରହିଥିଲା। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ। ୧୦ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଥିଲା।












Click it and Unblock the Notifications