ଆଜିଠୁ ପୁଣି ବିଧାନସଭା ଅଧିବେଶନ; ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ, ଏମିତି ରହିବ ଗୃହକାର୍ଯ୍ୟ
ଆଜିଠୁ ପୁଣି ବିଧାନସଭା ଅଧିବେଶନ। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ବୈଠକ ଆରମ୍ଭ ହେବ । ଜୁଲାଇ ୨୨ରୁ ୩୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ବସିଥିଲା। ଏଥିରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ।
ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଆସନ୍ତାକାଲି ବିଭାଗୀୟ ସ୍ଥାୟୀ କମିଟିମାନଙ୍କର ରିପୋର୍ଟ ଉପସ୍ଥାପନ ହେବ। ଏହାପରେ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ବିଭିନ୍ନ ବିଭାଗକୁ ମିଳିଥିବା ଅନୁଦାନ ନିମନ୍ତେ ଖର୍ଚ୍ଚ ଦାବି ଆଲୋଚନା ହେବ। ସେପ୍ଟେମ୍ବର ୧୦ରେ ୨୦୨୪-୨୫ ମସିହା ପାଇଁ ବଜେଟ୍ ଉପରେ ବିନିଯୋଗ ବିଲ୍ ଆସିବ। ସେପ୍ଟେମ୍ବର ୧୨ ଓ ୧୩ରେ ବେସରକାରୀ ସଭ୍ୟଙ୍କ କାର୍ଯ୍ୟଦିବସ ରହିଛି। ଅପରପକ୍ଷେ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ବାରମ୍ବାର ଗୃହ ତ୍ୟାଗ କରିଥିବାବେଳେ କେବଳ ଶାସକ ଦଳ ସଭ୍ୟଙ୍କୁ ନେଇ ଗୃହ ଚାଲିଥିଲା। ତେଣୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ବିରୋଧୀ ସେହି ପୁରୁଣା ଦାବିକୁ ପୁଣି ଉଠାଉଛନ୍ତି ନା ଗୃହ କାର୍ଯ୍ୟ ସ୍ବାଭାବିକ ହେବାରେ ସହଯୋଗ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ଅଛି।

ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୂର୍ବତନ ବିଧାୟକ ସୁନ୍ଦରମୋହନ ମାଝୀଙ୍କ ସମ୍ମାନରେ ଶୋକପ୍ରସ୍ତାବ ଆସିବ । ତା'ପରେ ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହେବ । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ବିଭିନ୍ନ ପେପର ଓ ବାର୍ଷିକ ରିପୋର୍ଟ ଉପସ୍ଥାପନ କରିବେ । ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗୃହ ପରିଚାଳନା ପାଇଁ କାର୍ଯ୍ୟପରାମର୍ଶଦାତା କମିଟିର ରିପୋର୍ଟକୁ ଉପସ୍ଥାପନ କରିବେ । ଏହାପରେ ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ବାବୁ ସିଂ, ପୂର୍ଣ୍ଣଚନ୍ଦ୍ର ସେଠୀ, ବିଭୂତିଭୂଷଣ ପ୍ରଧାନ, ରାମଚନ୍ଦ୍ର କାଡ଼ାମ, ସୁଧୀର ରଞ୍ଜନ ପାଟ୍ଟଯୋଶୀ, ମନୋହର ରନ୍ଧାରୀ, ସନାତନ ବିଜୁଳି ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୋଟ ୩୯ଟି ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ, ବିଧାନସଭାରେ ସେପ୍ଟେମ୍ବର ୧୦ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ରହିଛି । ତା'ପୂର୍ବରୁ ଅଗଷ୍ଟ ୨୧ତାରିଖରେ ଅନୁସୂଚିତ ଜାତି,ଜନଜାତି ଓ ପଛୁଆବର୍ଗ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ୨୨ରେ ରାଜସ୍ୱ ଓ ବିପର୍ଯ୍ୟୟ, ୨୩ରେ ଖାଦ୍ୟଯୋଗାଣ ସ ଖାଉଟି କଲ୍ୟାଣ,ସମବାୟ ବିଭାଗ, ୨୭ରେ ମହିଳା ଓ ଶିଶୁବିକାଶ, ମିଶନଶକ୍ତି ଓ ପର୍ଯ୍ୟଟନ, ୨୮ରେ ଜଳସମ୍ପଦ, ୨୯ରେ ସ୍କୁଲ ଓ ଗଣଶିକ୍ଷା,ଉଚ୍ଚଶିକ୍ଷା, ୩୦ରେ ଶିଳ୍ପ ଓ ଏମଏସଏମଇ ବିଭାଗ, ୩୧ରେ ଗୃହ, ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଉପରେ ଗୃହରେ ଆଲୋଚନା ହେବା ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟିରେ ନିଷ୍ପତ୍ତି ନିଆଯାଇଛି ।
ସେହିପରି ସେପ୍ଟେମ୍ବର ୨ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ୩ରେ ଇସ୍ପାତ ଓ ଖଣି, ୪ରେ ପଂଚାୟତିରାଜ, ୫ରେ କୃଷି ଓ କୃଷକ କଳ୍ୟାଣ, ୬ରେ ଗୃହନିର୍ମାଣ ଓ ନଗର ଉନ୍ନୟନ ଓ ୯ରେ ପୂର୍ତ୍ତ,ଗ୍ରାମ୍ୟ ଉନ୍ନୟନ ବିଭାଗର ବଜେଟ୍ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।












Click it and Unblock the Notifications