Odisha Assembly: ୭ରୁ ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ
ଆସନ୍ତା ମାର୍ଚ୍ଚ ୭ତାରିଖରୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ବେଶ୍ ସରଗରମ ହେବା ସମ୍ଭାବନା ରହିଛି।
ଏହି ଅଧିବେଶନ କାଳରେ ଖର୍ଚ୍ଚ ଦାବି ଆଲୋଚନା ସହିତ ବ୍ୟୟମଞ୍ଜୁରୀ ବିଧେୟକ ପାରିତ ହେବ। ଏହି ଲମ୍ବା ଅବଧି ଭିତରେ ଗୃହରେ ଏକାଧିକ ପ୍ରସଙ୍ଗକୁ ନେଇ ଶାସକ ବିଜେପିକୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛନ୍ତି।
ପ୍ରତିବର୍ଷ ମାର୍ଚ୍ଚ ୫ରେ ପାଳନ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସ ଚଳିତ ବର୍ଷ ବନ୍ଦ କରାଯିବା ଘଟଣାକୁ ନେଇ ସରକାରଙ୍କୁ ବିଜେଡି ଘେରିବାର ସମ୍ଭାବନା ରହିଛି। କଂଗ୍ରେସ ମଧ୍ୟ ଆଇନଶୃଙ୍ଖଳା, ଏସଆଇ ପରୀକ୍ଷା ପରିଚାଳନା ଦାୟିତ୍ବ ପ୍ରଦାନରେ ଦୁର୍ନୀତିକୁ ପ୍ରସଙ୍ଗ କରିପାରେ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଫେବୃଆରୀ ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

ପ୍ରଥମ ପର୍ଯ୍ୟାୟ ସ୍ବଳ୍ପକାଳୀନ ଅଧିବେଶନରେ ସରକାର ୨୦୨୫-୨୬ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୯୦ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ବଜେଟ ଉପରେ ଆଲୋଚନା ଶେଷ ହେବା ପରେ ବାଚସ୍ପତି ଗୃହକୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଏବେ ପଞ୍ଚାୟତିରାଜ ଦିବସ ପାଳନ ବନ୍ଦକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ୧୯୯୩ ମସିହାରୁ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ ହୋଇ ଆସୁଛି। ୨୦୨୪ରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ଘଟିବା ସହିତ ବିଜେପି ସରକାର ଗଠନ କରିଛି।
ଅନ୍ୟପକ୍ଷରେ ରାଜ୍ୟ ସରକାର ଏସଆଇ ପରୀକ୍ଷା ପାଇଁ ଦିନଧାର୍ଯ୍ୟ କରିଛନ୍ତି। ଏହି ଦାୟିତ୍ବ ଏକ କଳା ତାଲିକାଭୁକ୍ତ କମ୍ପାନୀକୁ ଦିଆଯାଇଛି। ଏଥିରେ ବ୍ୟାପକ ଦୁର୍ନୀତି ହୋଇଛି। ଏହି ପ୍ରସଙ୍ଗ କଂଗ୍ରେସ ଗୃହରେ ଉଠାଇବ ବୋଲି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ କହିଛନ୍ତି। ବିରୋଧୀଙ୍କ ସବୁ ପ୍ରସଙ୍ଗରେ ସରକାର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି। ରାଜ୍ୟବାସୀଙ୍କ ସମସ୍ୟା ଗୃହରେ ଆଲୋଚନା ହେବା ଆବଶ୍ୟକ। ଏଥିପାଇଁ ବିରୋଧୀ ଦଳ ସରକାରଙ୍କୁ ସହଯୋଗ କରିବା ଦରକାର ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।












Click it and Unblock the Notifications