Odisha Assembly: ରାଜ୍ୟର ବଢୁଛି HIV ସଂକ୍ରମିତଙ୍କ ସଂଖ୍ୟା
ରାଜ୍ୟର ବଢୁଛି HIV ଆକ୍ରାନ୍ତ ସଂଖ୍ୟା। ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୨୦୨୧ରେ ୨ ହଜାର ୩୪୧ HIV ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ବଢ଼ି ୩ ହଜାର ୨୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ୨୦୨୩-୨୪ରେ ୩ ହଜାର ୪୩୬ ଏବଂ ଏସବୁକୁ ମିଶାଇ ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟରେ ମୋଟ ୬୩ ହଜାର ୭୪୨ ଜଣ HIV ଆକ୍ରାନ୍ତ ଅଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ମୋଟ୍ ୧୬୭ଟି ସ୍ୱତନ୍ତ୍ର ପରାମର୍ଶ ଓ ପରୀକ୍ଷା କେନ୍ଦ୍ର, ୭ଟି ଘରୋଇ ସହଭାଗିତା କେନ୍ଦ୍ର ଏବଂ ୧୨ ଶହ ୩୨ଟି ସୁବିଧା ପରାମର୍ଶ ଏବଂ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କରୁଛି।
ଆଶଙ୍କା ପ୍ରବଣ ଗୋଷ୍ଠୀଙ୍କ ମଧ୍ୟରେ ଏଚଆଇଭି ସଂକ୍ରମଣ ହାରକୁ ରୋକିବା ପାଇଁ ରାଜ୍ୟରେ ୫୨ଟି ଲକ୍ଷ୍ୟଭେଦି ପ୍ରକଳ୍ପ ଏବଂ ୮ଶହଟି ଗାଁରେ ୭ଟି ଲିଙ୍କ ୱାର୍କର ଯୋଜନା କାର୍ଯ୍ୟକାରୀ କରୁଛି। ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ HIV ସଂକ୍ରମଣ ହାରକୁ ରୋକିବା ପାଇଁ ୧୧ଟି ରେଲୱେ ଷ୍ଟେସନ୍ ଏବଂ ବସଷ୍ଟାଣ୍ଡରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।












Click it and Unblock the Notifications