୩ ବର୍ଷରେ ରାଜ୍ୟ ବାହରେ ପ୍ରାଣ ହରାଇଛନ୍ତି ୧୫୩ ଶ୍ରମିକ; କଳାହାଣ୍ଡିରୁ ସର୍ବାଧିକ
୩ ବର୍ଷରେ ରାଜ୍ୟର ୧୫୩ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ଘଟିଛି । ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀ ଉତ୍ତର ରଖିଛନ୍ତି । ବିଭିନ୍ନ ରାଜ୍ୟରୁ ୧୪୩ ଓ ବିଭିନ୍ନ ଦେଶରୁ ୧୦ ମୃତଦେହ ଫେରିଛି । କଳାହାଣ୍ଡିରୁ ସର୍ବାଧିକ ୨୯ ଜଣ ଶ୍ରମିକଙ୍କ ମୃତଦେହ ଫେରିଛି ।
ସରକାରୀ ଖାତାରେ ଦାଦନ ସଂଖ୍ୟା ୪୦ ହଜାର ୮୮ ରହିଛି । ବିଧାନସଭାରେ ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ଶ୍ରମ ମନ୍ତ୍ରୀ । ରାଜ୍ୟରୁ ୪୦ ହଜାର ୮୮ ଜଣ ଶ୍ରମିକ ଅନ୍ୟ ରାଜ୍ୟରେ କାମ କରିବାକୁ ଯାଉଛନ୍ତି। ଲାଇସେନ୍ସ ପ୍ରାପ୍ତ ୬୨୬ ଜଣ ଠିକାଦାର ଜରିଆରେ ଏହି ଶ୍ରମିକ ମାନେ ବାହାରକୁ ଯାଇଛନ୍ତି । ତେବେ ରାଜ୍ୟରେ ସର୍ବାଧିକ ୨୬ହଜାର ୧୫୧ ଦାଦନ ବଲାଙ୍ଗୀର ଜିଲ୍ଲାରେ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ୧୪୬୭ ଜଣ ଦାଦନ ବାହାର ରାଜ୍ୟକୁ ଯାଇଛନ୍ତି । ସେହିପରି ନୂଆପଡାରେ ୮୨୦୫ ଦାଦନ ଅଛନ୍ତି । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ ।

ସେହିପରି ଆଜି ଆଦିବାସୀ ଜମି ହସ୍ତାନ୍ତର ବିଲ କ୍ୟାବିନେଟରେ ପାରିତ ହେବା ଓ ସ୍ଥଗିତ ହେବାକୁ ନେଇ ବିଧାନସଭା ଭିତରେ ଓ ବାହାରେ ବିଜେପିର ପ୍ରବଳ ପ୍ରତିବାଦ ଦେଖିବାକୁ ମିଳିଛି । ବିଧାନସଭାରୁ ବାହାରି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପି ସଦସ୍ୟ । ଆଦିବାସୀ ଜମି ବିକ୍ରି ସଂକ୍ରାନ୍ତୀୟ କ୍ୟାବିନେଟ ନିଷ୍ପତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି ବିଧାୟକ ଦଳ ।
ସୂଚନାଥାଉ ଯେ, ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଗତକାଲି ମଧ୍ୟ ଅଚଳ ରହିଥିଲା । ଗୃହକୁ ଆଜି ପର୍ଯ୍ୟନ୍ତ ମୁଲତବି ରଖିଥିଲେ ବାଚସ୍ପତି । ଦ୍ଵିତୀୟ ଦିନରେ ମଧ୍ୟ ଚାଲିପାରିନଥିଲା ଗୃହ । ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ହୋହାଲ୍ଲା ଦେଖିବାକୁ ମିଳିଥିଲା । ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ପରେ ଦିବା ୧୨ ଯାଏଁ ଗୃହକୁ ମୁଲତବି କରିଥିଲେ ବାଚସ୍ପତି । ପରେ ଗୃହ ଆରମ୍ଭ ହେବା ପରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ହୋଇଥିଲା ।












Click it and Unblock the Notifications