ଆସନ୍ତାକାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ମୌସୁମୀ ଅଧିବେଶନ
ଆସନ୍ତାକାଲିଠାରୁ ଆରମ୍ଭ ହେବ ଓଡିଶା ବିଧାନସଭା ମୌସୁମୀ ଅଧିବେଶନ ର ଦ୍ଵିତୀୟ ପର୍ଯ୍ୟାୟ । ଆସନ୍ତାକାଲି ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବ ।
ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ଓଡିଶା ବିଧାନସଭା ମୌସୁମୀ ଅଧିବେଶନ ର ଦ୍ଵିତୀୟ ପର୍ଯ୍ୟାୟ । ଆସନ୍ତାକାଲି ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବ । ସେହିପରି ୧୪ ତାରିଖରୁ ୨୮ ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ଯେଉଁ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରିବନି, ତାହା ୨୯ ତାରିଖର ଗିଲୋଟିନ ଜରିଆରେ ପାରିତ ହେବ ।

ବାଚସ୍ପତି ବିକ୍ରମ ଆରୁଖ କହିଛନ୍ତି, ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟ ମଂଞ୍ଜୁରୀ ବିଲ୍ ପାରିତ ହେବ । ପ୍ରଶ୍ନକାଳ ସ୍ୱାଭାବିକ କରିବାକୁ ସବୁ ବିଧାୟକଙ୍କ ସହଯୋଗ ଲୋଡ଼ିଥିବା କହିଛନ୍ତି ବାଚସ୍ପତି । ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ଯାହା କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି, ସେହି ଅନୁସାରେ ସବୁ କାଯର୍ୟକ୍ରମ ହେବ । ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।
ପ୍ରଥମ ପର୍ଯ୍ୟାୟରେ କେବଳ ଗୋଟେ ଦିନ ପ୍ରଶ୍ନକାଳ ପ୍ରଭାବିତ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ କିପରି ପ୍ରଶ୍ନକାଳ ଶୃଙ୍ଖଳିତ ହେବ ସେ ନେଇ ପ୍ରୟାସ କରାଯିବ ବୋଲି ବାଚସ୍ପତି କହିଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଛାତ୍ରୀଙ୍କ ମା'ଙ୍କୁ ଉଠାଇ ନେବା, ଚାଷୀ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ ।
ବିରୋଧୀ ଦଳ ମୁଲତବୀ ପ୍ରସ୍ତାବ ଆଣିଲେ ମଧ୍ୟ ଆଲୋଚନା କରାଯିବ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଚାଷୀ ଆତ୍ମହତ୍ୟା, ବ୍ୟାଙ୍କ ଋଣ ନ ଦେବା, ଚାଷୀଙ୍କୁ ଇନ୍ସ୍ୟୁରାନ୍ସ ନ ମିଳିବା ଆଦି ପ୍ରସଙ୍ଗ ବିଧାନସଭାରେ ଉଠାଇବ ଦଳ । ରୁଚିକାଙ୍କ ଆତ୍ମହତ୍ୟା, ତାଙ୍କ ମାଆଙ୍କୁ ଜବରଦସ୍ତି ଉଠାଇ ନେବା ପ୍ରସଙ୍ଗ ମଧ୍ୟ ବିଧାନସଭାରେ ଉଠାଯିବ ବୋଲି ସେ କହିଛନ୍ତି ।
ସେପଟେ ବିଜେପି କହିଛି ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡିଛି । ମହିଳା ସୁରକ୍ଷିତ ନୁହେଁ, ଚୋରି, ଡକାୟତି ଚାଲିଛି। ଚାଷୀ ଆତ୍ମହତ୍ୟା ବଢୁଛି। ସରକାରୀ ତଥ୍ୟଠୁ ଅଧିକ ଚାଷୀ ଆତ୍ମହତ୍ୟା କରୁଛନ୍ତି । ସବୁ କ୍ଷେତ୍ରରେ ସରକାର ବିଫଳ। ରୁଚିକା ପ୍ରସଙ୍ଗ ବି ଉଠାଇବ ଦଳ। ଗୃହ କାର୍ଯ୍ୟ ଅଧିକ ସମୟ ଚାଲିବ ବୋଲି ଆଶା ରଖୁଛୁ । କିନ୍ତୁ ଗୁରୁତର ପ୍ରସଙ୍ଗକୁ ସରକାର ଏଡେଇଗଲେ ପ୍ରତିବାଦ କରାଯିବ ବୋଲି କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।












Click it and Unblock the Notifications