ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ
ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ଏନେଇ ୩ ପ୍ରମୁଖ ରାଜନୀତିକ ଦଳ ନିଜର ରଣନୀତି ଚୂଡ଼ାନ୍ତ ହୋଇସାରିଛି ।
ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ଏନେଇ ୩ ପ୍ରମୁଖ ରାଜନୀତିକ ଦଳ ନିଜର ରଣନୀତି ଚୂଡ଼ାନ୍ତ ହୋଇସାରିଛି । କେନ୍ଦ୍ରୀୟ ଅବହେଳାକୁ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନେ ଗୃହରେ ପ୍ରସଙ୍ଗ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବିଜେପି ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ଓ ଓବିସି ସଂରକ୍ଷଣ ରାଜନୀତି ତଥା ରାଜ୍ୟ ସ୍ୱାର୍ଥଜଡ଼ିତ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି।

ରାଜ୍ୟରେ ମରୁଡି ପ୍ରସଙ୍ଗ, ସାର ଅଭାବ ଜନିତ ସମସ୍ୟା, ଜଳ ସେଚନର ସମସ୍ୟା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ବାଲେଶ୍ୱର ବିଚ୍ ବଜାରରେ ହତ୍ୟା, ଭୁବନେଶ୍ୱରରେ ଦିନ ଦ୍ଵିପହରରେ ହତ୍ୟା, ଗୁରୁଜୀ ମାନସ ଦାସ, ମାହାଙ୍ଗା ଡବଲ ମର୍ଡର, ବିଭିନ୍ନ ଅପରାଧ ଓ ଦୁର୍ନୀତିରେ ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀଙ୍କ ସମ୍ପୃକ୍ତି, ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଅଭିଯୋଗ, ଏସିଏଫ ହତ୍ୟାରେ ବିକ୍ରମ ଆରୁଖଙ୍କ ସମ୍ପୃକ୍ତି ଅଭିଯୋଗ ପରି ଘଟଣାକୁ ପ୍ରସଙ୍ଗ କରିବ ବିଜେପି ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବିଜେଡି ବିଧାୟକ ଦଳ ବୈଠକ । ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିରୋଧୀ ଦଳର ସଦସ୍ୟମାନେ ଯେଉଁ ସବୁ ପ୍ରସଙ୍ଗ ଆଣିବେ ତା'ର ମୁକାବିଲା କରାଯିବ। କେନ୍ଦ୍ର ଅବହେଳା ନେଇ ଅନେକ ପ୍ରସଙ୍ଗ ଶାସକ ଦଳ ପାଖରେ ଅଛି, ସେସବୁ ଗୃହରେ ଉପସ୍ଥାପନ କରାଯିବ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବସି ରଣନୀତି ଚୂଡ଼ାନ୍ତ ହୋଇଛି। ଦଳର ବିଧାୟକ ମହମ୍ମଦ ମୋକିମ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ମରୁଡ଼ି ସମେତ କେନ୍ଦ୍ରୀୟ ଅବହେଳାକୁ କଂଗ୍ରେସ ବିଧାୟକମାନେ ଗୃହରେ ଉଠାଇବେ। ମାହାଙ୍ଗା ଡବଲ ମର୍ଡର ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି, ଷ୍ଟାଫ ସିଲେକ୍ସନ ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଦୋଛକିରେ ଛିଡ଼ା କରାଇବ ବୋଲି ସେ କହିଛନ୍ତି । କଂଗ୍ରେସ ସୂତ୍ର ଅନୁସାରେ, ଗୃହରେ ବିଜୁଳି ଦର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସ୍ଥାଣୁ ହୋଇ ରହିବା ଓ ଏହାର ଅଫିସ ସ୍ଥାନାନ୍ତର କରିବା ଦାବି କଂଗ୍ରେସ ଗୃହରେ ଉଠାଇବ।












Click it and Unblock the Notifications