Odisha Assembly: ଶୋକ ପ୍ରସ୍ତାବ ପରେ ଗୃହ ମୁଲତବୀ
ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଆରମ୍ଭ ରୁ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ପୂର୍ବତନ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ପୂର୍ବତନ ସଦସ୍ୟ ହେମେନ୍ଦ୍ର ମହାପାତ୍ର , କୃଷ୍ଣଚନ୍ଦ୍ର ମଲ୍ଲିକ ଏବଂ ପୂର୍ବତନ କନଷ୍ଟେବଳ ସରୋଜ ପ୍ରଧାନଙ୍କ ପାଇଁ ମଧ୍ୟ ଶୋକ ପ୍ରସ୍ତାବ ଆଗତ ହୋଇଛି ।
ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ , କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା। ୧ ମିନିଟ୍ ନିରବ ପ୍ରାର୍ଥନା ପରେ ୪ଟା ୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଛି । ଆଜି ଗୃହରେ ଅଭିଭାଷଣ ରଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଶୋକପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ ପୂର୍ବତନ ସଦସ୍ୟ ସ୍ୱର୍ଗତ ହେମେନ୍ଦ୍ର ପ୍ରସାଦ ମହାପାତ୍ର, ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ମଲ୍ଲିକ, ଓଡ଼ିଶା ପୁଲିସର ପୂର୍ବତନ କନେଷ୍ଟବଳ ସ୍ୱର୍ଗତ ସରୋଜ କୁମାର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ । ତେବେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ କଂଗ୍ରେସ ବିଧାୟକ ଦଳର ନେତାଙ୍କ ଅଭିଭାଷଣ ପରେ ବାଚସ୍ପତି ସୁରମା ପାଢ଼ୀ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ସମକ୍ୟ ସୂଚନା ଦେଇଥିଲେ । ଆଉ ଏହାପରେ ବିଧାନସଭାକୁ ମୁଲତବୀ ଘୋଷଣା କରିଦିଆଯାଇଥିଲା ।
ଜାଣିରଖିବା ଉଚିତ ଯେ, ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ। ପ୍ରଥମଥର ପାଇଁ ବିଧାନସଭାରେ ଉଦବୋଧନ ଦେବେ ରାଷ୍ଟ୍ରପତି । ତେବେ ପୂର୍ବରୁ କୌଣସି ରାଷ୍ଟ୍ରପତି ବିଧାନସଭାରେ ଉଦବୋଧନ ଦେଇନଥିଲେ। ତେଣୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣିବା ପାଇଁ ସମସ୍ତ ବିଧାୟକଙ୍କ ବ୍ୟତୀତ ପୂର୍ବତନ ବିଧାୟକ, ସରକାରଙ୍କର ବରିଷ୍ଠ ପଦାଧିକାରୀ ଏବଂ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ କରାଯାଇଛି ।
ଆଜି ଅପରାହ୍ଣ ୨ଟାରେ ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବେ। ଅପରାହ୍ଣ ୪ଟାରେ ରାଜଭବନ ପରିସରରେ ନୂଆ କଳିଙ୍ଗ ଅତିଥି ନିବାସକୁ ଲୋକାର୍ପଣ କରିବେ ରାଷ୍ଟ୍ରପତି। ଅପରାହ୍ଣ ୪ଟା ୨୦ରେ ବିଧାନସଭାରେ ପହଞ୍ଚିବେ ଏବଂ ଅପରାହ୍ଣ ୪ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ବିଧାନସଭାକୁ ସମ୍ବୋଧିତ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ବିଧାନସଭା ଏବଂ ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ରାଷ୍ଟ୍ରପତି ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶା ସରକାରରେ ବାଣିଜ୍ୟ, ପରିବହନ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଥିବାବେଳେ ବିଧାନସଭାର ୧୧ ନମ୍ବର ପ୍ରକୋଷ୍ଠରେ ବସୁଥିଲେ। ଏହି ପ୍ରକୋଷ୍ଠରେ ରାଷ୍ଟ୍ରପତି କିଛି ସମୟ ବିତାଇ ପୁରୁଣା ସ୍ମୃତିକୁ ଯେପରି ମନେ ପକାଇବେ ସେଥିପାଇଁ ଏହି ପ୍ରକୋଷ୍ଠକୁ ନୂଆ ରୂପ ଦିଆଯାଇଛି। ବିଧାନସଭାରେ କାର୍ଯ୍ୟକ୍ରମ ଶେଷ ପରେ ରାଷ୍ଟ୍ରପତି ରାଜଭବନ ଫେରି ରାଜ୍ୟପାଳଙ୍କ ସ୍ବତନ୍ତ୍ର ନୈଶ୍ୟ ଭୋଜିରେ ଯୋଗଦେବେ ।












Click it and Unblock the Notifications