ମାନସିକ ରୋଗରେ ପୀଡିତ ଥିଲା ଗୋପାଳ, ପରେ ଫିଟନେସ୍ ସାର୍ଟିଫିକେଟ୍ ବି ଦେଖାଇଥିଲା: ଗୃହ ରାଷ୍ଟମନ୍ତ୍ରୀ
ଗୋପାଳ ବାଇପୋଲାର ଡିସ୍ଅର୍ଡରରେ ପୀଡ଼ିତ ଥିବା ପ୍ରମାଣିତ କରି ପାରିଛି କ୍ରାଇମବ୍ରାଞ୍ଚ । ମାତ୍ର ସୋମବାର ବିଧାନସବାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯେଉଁ ଉତ୍ତର ରଖିଛନ୍ତି, ତାହା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଭୁବନେଶ୍ୱର: ଜେଲରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସ । ନବଙ୍କ ହତ୍ୟାକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ହତ୍ୟା ପଛର କାରଣ ଏଯାଏଁ ଖୋଜି ପାରିନାହିଁ ତଦନ୍ତକାରୀ ସଂସ୍ଥା । ତେବେ କେବଳ ଗୋପାଳ ବାଇପୋଲାର ଡିସ୍ଅର୍ଡରରେ ପୀଡ଼ିତ ଥିବା ପ୍ରମାଣିତ କରି ପାରିଛି କ୍ରାଇମବ୍ରାଞ୍ଚ । ମାତ୍ର ସୋମବାର ବିଧାନସବାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯେଉଁ ଉତ୍ତର ରଖିଛନ୍ତି, ତାହା ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ବିଧାୟକ ସୁବାଶ ପାଣିଗ୍ରାହୀଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ମାନସିକ ରୋଗ ପାଇଁ କେବେ ବି ଛୁଟି ଆବେଦନ କରି ନଥିଲା ଗୋପାଳ । ସେହିପରି ଟ୍ରାନ୍ସଫର ପାଇଁ ମଧ୍ୟ ସେ କେବେ ବି ଆବେଦନ କରିନଥିଲା । ବରଂ ବିନା ସୂଚନାରେ ୨ ମାସ ପର୍ଯ୍ୟନ୍ତ ଗୋପାଳ ଛୁଟିରେ ଥିଲେ ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।
ମନ୍ତ୍ରୀଙ୍କ କହିବା ମୁତାବକ, ଗୋପାଳ ଦାସ ଚାକିରି କାଳରେ ୨୦୧୪ ଫେବ୍ରୁଆରୀ ୩ ତାରିଖରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଉଚ୍ଚ କର୍ତ୍ତୁପକ୍ଷଙ୍କ ବିନା ଅନୁମତିରେ ଛୁଟିରେ ଥିଲେ । ଏପ୍ରିଲ ୪ରେ ସେ କାମରେ ଯୋଗ ଦେଇଥିଲେ । ଏହି ଅନୁପସ୍ଥିତି ଦିନକୁ ନଜର ମାନସିକ ରୋଗ ପାଇଁ ବିଶେଷଜ୍ଞଙ୍କ ପାଖରେ ଚିକିତ୍ସିତ ହୋଇଥିବା ଦର୍ଶାଇ ଏହାର କାଗଜପତ୍ର ଦାଖଲ କରିଥିଲେ । ଏହି ଅନୁପସ୍ଥିତ ଦିନକୁ ନିୟମିତ କରିବା ପାଇଁ ସେ ଅନୁରୋଧ କରି ସେ ସୁସ୍ଥତା ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଥିଲେ ।
ସେହିପରି ପୁଣିଥରେ ୨୦୧୫ ଫେବ୍ରୁଆରୀ ୨୦ ତାରିଖରୁ ୮ ଦିନ ପାଇଁ ଛୁଟିରେ ଯାଇଥିଲେ । ଏହାପରେ ମାର୍ଚ୍ଚ ୧ ତାରିଖ ଦିନ ସେ କାର୍ଯ୍ୟରେ ଯୋଗ ଦେବାର ଥିଲା । ହେଲେ ସେହି ତାରିଖରେ ସେ କାର୍ଯ୍ୟରେ ଯୋଗ ଦେଇ ନଥିଲେ । ଜୁନ୍ ୨୯ ତାରିଖରେ ଏମକେସିଜିରେ ଚିକିତ୍ସିତ ହେଉଥିବାର କାଗଜପତ୍ର ସହିତ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରିଥିଲେ । ତେବେ ତାଙ୍କର ୧୧୯ ଦିନର ଅନୁପସ୍ଥିତିକୁ ଶାରିରୀକ ଅସୁସ୍ଥତା ପାଇଁ ଇ.ଏଲ୍ ଅନୁମୋଦନ କରିବା ନିମନ୍ତେ ସେ ଅନୁରୋଧ କରିଥିଲେ ।
ପରବର୍ତ୍ତୀ ସମୟରେ ତାଙ୍କର ଡାକ୍ତରୀ ଚାକିତ୍ସା କାଗଜପତ୍ର ସହିତ ଫିଟନେସ୍ ସାର୍ଟିଫିକେଟ୍କୁ ଦେଖିବା ପରେ ତାଙ୍କୁ ପୁଣିଥରେ ନିଜ କାର୍ଯ୍ୟରେ ଯୋଗଦେବାକୁ ଅନୁମତି ମିଳିଥିଲା ବୋଲି ଗୃହରେ ଉତ୍ତର ରଖି ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ।












Click it and Unblock the Notifications