ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: ଆଜି ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Odisha Assembly Elections 2024: ଆଜି ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ବିଧାନସଭା ଆସନ ପାଇଁ ଆଜି (ଏପ୍ରିଲ୍ ୩୦) ନାମାଙ୍କନ ଦାଖଲ କରିବେ । ମେ ୨୦ରେ ଦ୍ବିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଷଷ୍ଠଥର ପାଇଁ ନବୀନ ଏଠାରୁ ନିର୍ବାଚନ ଲଢ଼ୁଛନ୍ତି ।
ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ । ନାମାଙ୍କନ ପାଇଁ ସକାଳ ୧୦ଟା ୨୦ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ହିଞ୍ଜିଳି ଅଭିମୁଖେ ଯିବେ ନବୀନ।
ସକାଳ ୧୧ଟାରେ ଛତ୍ରପୁର ନିକଟସ୍ଥ ନରସିଂହପୁର ଛକସ୍ଥିତ ହେଲିପ୍ୟାଡ୍ରେ ମୁଖ୍ୟମନ୍ତ୍ରୀ ଓହ୍ଲାଇବେ। ସେଠାରୁ କାର୍ରେ ମା'ତାରାତାରିଣୀଙ୍କ ପୀଠକୁ ଯିବେ। ପୂଜାର୍ଚ୍ଚନା ପରେ ମଧ୍ୟାହ୍ନ ୧୨ଟା ୩୫ ମିନିଟ୍ରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିବେ।

୨୦୦୦ ମସିହାରୁ ହିଞ୍ଜିଳିରୁ ବିଧାୟକ ରହିଆସିଛନ୍ତି ନବୀନ । ୫ ଥର ହିଞ୍ଜିଳିରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ଏଥର ଷଷ୍ଠଥର ପାଇଁ ଲଢୁଛନ୍ତି । ଗତ ୩ଟି ସାଧାରଣ ନିର୍ବାଚନକୁ ଦେଖିଲେ ୨୦୦୯ରେ ନବୀନ ୬୧ ହଜାର ୨୭୩ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିଲେ । ଭୋଟ ପ୍ରତିଶତ ଥିଲା ୬୩ ଦଶମିକ ୮୮ । ୨୦୧୪ରେ କଂଗ୍ରେସ ପ୍ରାର୍ଥୀଙ୍କୁ ୭୬ ହଜାର ୫୮୬ ଭୋଟରେ ପରାଜିତ କରି ଚତୁର୍ଥ ଥର ବିଧାୟକ ହୋଇଥିଲେ ନବୀନ। ୨୦୧୯ରେ ବିଜେପି ପ୍ରାର୍ଥୀଙ୍କୁ ୬୦ ହଜାର ୧୬୦ ଭୋଟରେ ହରାଇ ବିଜୟ ଲାଭ କରିଥିଲେ । ଏଥର ନବୀନ ଷଷ୍ଠଥର ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ବିଜେପିର ଶିଶିର ମିଶ୍ର ଓ କଂଗ୍ରେସର ରଞ୍ଜିକାନ୍ତ ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି । ମେ ୨୦ ତାରିଖରେ ହିଞ୍ଜିଳିର ମତଦାନ ହେବ।
ସୁରକ୍ଷା ଦୃଷ୍ଟିରୁ ପୁରୁଷୋତ୍ତମପୁର ଥାନା ଅଧୀନ ନରସିଂହପୁର ଛକ ଠାରୁ ତାରାତାରାଣୀ ଏବଂ ଛତ୍ରପୁରରେ ୧୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିବେ। ସେହିପରି ୩ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୮ ଜଣ ଡିଏସ୍ପି, ୧୭ ଇନ୍ସପେକ୍ଟର, ୬୨ ଜଣ ଏସ୍ଆଇଙ୍କୁ ମିଶାଇ ୯୦ ଅଫିସର ଏବଂ ୨ଟି ଏସ୍କର୍ଟ ଗାଡ଼ିର ବ୍ୟବସ୍ଥା ହୋଇଥିବା ଗଞ୍ଜାମ ଏସ୍ପି ଶ୍ରୀ ମୀନା ସୂଚନା ଦେଇଛନ୍ତି।












Click it and Unblock the Notifications