ଓଡ଼ିଶା ବିଧାନସଭା ନିର୍ବାଚନ: ଡିଏସ କୁଟ୍ଟେଙ୍କ ନିଲମ୍ବନ ପ୍ରସଙ୍ଗକୁ ନେଇ ବର୍ଷିଲେ ପାଣ୍ଡିଆନ
କେନ୍ଦ୍ର ଉପରେ ବର୍ଷିଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ସିଏମଓର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ନିନ୍ଦା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ଏଭଳି ଜଣେ ଅଫିସର ନିଜ ଜୀବନକୁ ବାଜି ଲଗାଇ ଓଡ଼ିଶାକୁ ନକ୍ସଲମୁକ୍ତ କରିଛନ୍ତି । ତାଙ୍କ ଭଳି ଅଫିସରଙ୍କ ବିରୋଧରେ ପଦକ୍ଷେପ ନେବା ଠିକ୍ ହୋଇନାହିଁ ବୋଲି କହିଛନ୍ତି ପାଣ୍ଡିଆନ୍।
ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ବିରୋଧରେ ଇସିଆଇଙ୍କ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ପାଣ୍ଡିଆନ ଆହୁରି କହିଛନ୍ତି, 'ବିଜେପି ଯାହା ଚାହୁଁଛି ତାହା ହେଉଛି । ଏହାଠାରୁ ଦୁର୍ଭାଗ୍ୟଜନକ କିଛିନାହିଁ । କିନ୍ତୁ ଏସବୁ ବିଜେଡି ଉପରେ କୌଣସି ପ୍ରଭାବ ପକେଇବ ନାହିଁ । ଓଡ଼ିଶାରେ ନକ୍ସଲବାଦର ମୂଳପୋଛ କରିବାରେ ଡିଏସ କୁଟ୍ଟେଙ୍କର ବଡ଼ ଭୂମିକା ଥିଲା। ଏଥିପାଇଁ ସେ ନିଜ ଜୀବନକୁ ବିପଦରେ ପକାଇ ନକ୍ସଲମାନଙ୍କ ସହ ଲଢ଼ିଛନ୍ତି ।

ସୂଚନାଥାଉ କି, ମଙ୍ଗଳବାର IPS ଅଫିସର ଡିଏସ କୁଟ୍ଟେଙ୍କୁ ନିଲମ୍ବିତ କରିଛନ୍ତି ଭାରତୀୟ ନିର୍ବାଚନ କମିଶନର। CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ ଡିଏସ କୁଟ୍ଟେ। ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ତାଙ୍କୁ ସସପେଣ୍ଡ କରାଯାଇଛି। ସସପେଣ୍ଡ କାଳରେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସରେ ରହି ସେ କାର୍ଯ୍ୟ କରିବେ। କାଲି ଦିନ ୩ଟା ସୁଦ୍ଧା ସେଠାରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନର।
ତାଙ୍କର ପୁରା ନାଁ ଧିରେନ୍ଦ୍ର ସମ୍ଭାଜି କୁଟ୍ଟେ (Dhirendra Sambhaji Kutey) । ୨୦୧୯ ଅକ୍ଟୋବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ ହୋଇଥିଲେ । ଏଥିସହ ସେ ଓଡ଼ିଶା ପୋଲିସର ଅତିରିକ୍ତ ମହା ନିର୍ଦ୍ଦେଶକ ମଧ୍ୟ ଥିଲେ । ୧୯୯୭ ବ୍ୟାଚର ଆଇପିଏସ ଅଧିକାରୀ କୁଟ୍ଟେ ୨୦୧୭ ଏପ୍ରିଲରୁ ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ଡ୍ୟୁଟି ପାଇ ନିୟୋଜିତ ହୋଇଥିଲେ ।
ନିଜ କାର୍ଯ୍ୟକାଳ ମଧ୍ୟରେ ସିଏମଙ୍କ Officer on Special Duty (OSD) ହେବାରେ ସେ ପ୍ରଥମ ଆଇପିଏସ ଅଫିସର ଥିଲେ। ୨୦୨୩ ସାଧାରଣତନ୍ତ୍ର ଦିବସରେ ନିଜର ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକରେ ସମ୍ମାନିତ ହୋଇଥିଲେ। ଏହା ପୂର୍ବରୁ ସେ ରାଜ୍ୟ ପରିବହନ କମିଶନର, IG Operation ଓ ଓଡ଼ିଶା ପୋଲିସର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ରାଉରକେଲା, ଯାଜପୁର ଓ ଗଜପତିର ମଧ୍ୟ ଏସପି ରହି ଆସିଛନ୍ତି। ଏହିସବୁ ଜିଲାରେ ଏସପିଥିବାବେଳେ ଅପରାଧ ଓ ଅପରାଧୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ସେ ସବୁଠି ପ୍ରଶଂସା ସାଉଁଟିଛନ୍ତି।












Click it and Unblock the Notifications