ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ; ୬ ଲୋକସଭା କ୍ଷେତ୍ର ସମେତ ୪୨ଟି ବିଧାନସଭା ଆସନରେ ଭୋଟିଂ ଆରମ୍ଭ
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ । ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ଏବଂ ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ ।
ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେବ । ମୋଟ ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪ ଲକ୍ଷ ୪୮ ହଜାର ଭୋଟର୍ । ପୁରୁଷ ଭୋଟରଙ୍କ ସଂଖ୍ୟା ୪୮ ଲକ୍ଷ ୩୦ ହଜାର ଥିବାବେଳେ ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର ମତଦାନ ସାବ୍ଯସ୍ତ କରିବେ ।
୧୦ ହଜାର ୫୫୧ କେନ୍ଦ୍ରରେ ମତଦାନ ହେବାକୁ ଯାଉଛି । ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ୩୫ ହଜାରରୁ ଅଧିକ ସୁରକ୍ଷା ଯବାନଙ୍କୁ ମୁତୟନ କରାଯାଇଛି । ଏଥିରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ବା ସିଏପିଏଫର ୧୨୧ କଂପାନି ଥିବା ବେଳେ ଓଡ଼ିଶା ସଶସ୍ତ୍ର ବାହିନୀର ୧୦୬ ପ୍ଲାଟୁନ ଫୋର୍ସ ଏବଂ ୧୯୮୬୫ ସିଭିଲ ପୁଲିସ କର୍ମଚାରୀ ସାମିଲ ଅଛନ୍ତି ।

ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଚଳିତ ନିର୍ବାଚନର ସବୁଠୁ ବଡ଼ ଲଢ଼େଇ ହେଉଛି । ଏହାକୁ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ସମ୍ମାନର ଲଢ଼େଇ କୁହାଯାଉଛି । ଏହାସହିତ ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ନେତା ମନ୍ମଥ ରାଉତରାୟ, ପୁରୀରେ ବିଜେପିର ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକ, କଟକରେ ବିଜେପିର ଭର୍ତ୍ତୃହରି ମହତାବ ଓ ବିଜେଡିର ସନ୍ତୃପ୍ତ ମିଶ୍ରଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି । ଏହି ୩ଟି ଆସନ ବି ଜିତିବାକୁ ଦୁଇ ଦଳ ପୂରା ଦମ୍ ଲଗାଇଛନ୍ତି ।
୨୦୧୯ର ଫଳାଫଳ ଦେଖିଲେ ଏହି ୬ଟି ଲୋକସଭା ଆସନରୁ ବିଜେଡି କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ସମେତ ୪ଟି ଆସନ ଜିତିଥିବା ବେଳେ ବିଜେପି ସମ୍ବଲପୁର ଓ ଭୁବନେଶ୍ୱର ଆସନ ହାତେଇଥିଲା । ସେହିପରି ମୋଟ୍ ୪୨ଟି ବିଧାନସଭା ଆସନରୁ ବିଜେଡି ୩୪ଟି ଆସନ ହାତେଇଥିବା ବେଳେ ବିଜେପି ଭାଗରେ ୬ଟି ଏବଂ କଂଗ୍ରେସ ଭାଗରେ ୨ଟି ଆସନ ପଡ଼ିଥିଲା ।












Click it and Unblock the Notifications