Odisha Assembly Election 2024: ସୋସିଆଲ ମିଡ଼ିଆ ଡଙ୍ଗାରେ ନିର୍ବାଚନୀ ଯାତ୍ରା
Social Media in politics: ଦେଶ ତଥା ରାଜ୍ୟରେ ନିର୍ବାଚନୀ ମାହୋଲ । ସରିଛି ପ୍ରାର୍ଥୀଙ୍କ ନାଁ ଘୋଷଣା । ଆରମ୍ଭ ହୋଇଛି ପ୍ରଚାର । ଗାଁ ରୁ ସହର ଚାରିଆଡ଼େ ନିର୍ବାଚନୀ ଚର୍ଚ୍ଚା । କିନ୍ତୁ ଏଥର ନିର୍ବାଚନ ଟିକେ ନିଆରା ହୋଇପଡ଼ିଛି । ନିର୍ବାଚନରେ ହୋଇଛି ଡିଜିଟାଲ ଏଣ୍ଟ୍ରି । ଚଳିତ ନିର୍ବାଚନରେ ପୋଷ୍ଟର ବ୍ୟାନରର ସ୍ଥାନ ନେଇଛି ମୋବାଇଲ ଓ ଇଣ୍ଟରନେଟ୍ । ନେତାଏ ଆଉ ଘର ଘର ବୁଲି ପ୍ରଚାର କରୁନାହାଁନ୍ତି । ଡିଜିଟାଲ ଯୁଗର ଫାଇଦା ନେଉଛନ୍ତି ରାଜନୈତିକ ଦଳ । ଡିଜିଟାଲ ପ୍ରଚାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଆଶାୟୀ ପ୍ରାର୍ଥୀ, ନେତା ଓ କର୍ମୀ । ସେପଟେ ଭୋଟର ବି ସୋସିଆଲ ମିଡିଆ ମାଧ୍ୟମରେ ଯୋଗ୍ୟ ନେତାଙ୍କୁ ବାଛିବାକୁ ବେଶ ପସନ୍ଦ କରୁଛନ୍ତି ।
ନେତାଏ ସକାଳୁ ରାତି ଯାଏଁ କୁଆଡ଼େ ଓ କାହିଁକି ଯାଉଛନ୍ତି, କାହାକୁ ଭେଟୁଛନ୍ତି ଏବଂ କଣ କାର୍ଯ୍ୟକ୍ରମ କରୁଛନ୍ତି ଏ ସବୁ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ଲୋକବି ନେତାଏ କଣ କଲେ ତା ବିଷୟରେ ଜାଣିପାରୁଛନ୍ତି । ପାରମ୍ପରିକ ପ୍ରଚାରକୁ ଏଡ଼େଇ ଡିଜିଟାଲ ପ୍ରଚାରରେ ମାତିଛନ୍ତି ନେତାମାନେ । ଏମିତିକି କର୍ମୀ ବି ଆଉ ପଛରେ ନାହାଁନ୍ତି । ଘର ଘର ବୁଲି ପ୍ରଚାର କରିବା ଆଉ ସେତେଟା ଦେଖିବାକୁ ମିଳୁନି । ମୋବାଇଲରେ ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି । ଫେସବୁକ, ଏକ୍ସ, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ରେ ନେତାଙ୍କ ଖୁବ୍ ପ୍ରଚାର କରାଯାଉଛି ।

ଆଜିକାଲିର ଆଧୁନିକ ଯୁଗରେ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ ଏହି ପ୍ରୟାସକୁ ଆହୁରି ଖୋରାକ ଯୋଗାଇଛି । ଏହାର ଭରପୁର ଫାଇଦା ଉଠାଇବା ଲକ୍ଷରେ ଅଛନ୍ତି ରାଜନେତା । ନେତାଙ୍କ ନାଁ ରେ ବିଭିନ୍ନ ପ୍ରକାର ଗ୍ରୁପ ଓ ପେଜ୍ ଖୋଲି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି । ଏମିତିକି ସୋସିଆଲ ମିଡିଆରେ ନିଜ ମତ ରଖୁଛନ୍ତି ନେତାମାନେ । ଏହା ସହ ଭୋଟର ବି କମେଣ୍ଟ କରି ନିଜ ନିଜର ମତାମତ ଦେଉଛନ୍ତି । ଫଳରେ ଭୋଟର ଓ ଆଶାୟୀଙ୍କ ମଧ୍ୟରେ ଯୋଗସୂତ୍ର ଭଲ ହୋଇପାରୁଛି ।
ଆଜିକାଲିର ନେତାଙ୍କ କହିବା ଅନୁସାରେ, ସୋସିଆଲ ମିଡିଆ ହିଁ ଏକ ବଳିଷ୍ଠ ମାଧ୍ୟମ ଯାହା ଦ୍ୱାରା ଭୋଟରମାନଙ୍କ ପାଖରେ ସୁବିଧାପେ ପହଞ୍ଚିହେବ । ସିଧାସଳଖ ଭୋଟର ମାନଙ୍କ ମତାମତ ନେଇହେବ । କମ୍ ଖର୍ଚ୍ଚ ସହ କମ ସମୟ ମଧ୍ୟରେ ସବୁ ଭୋଟରଙ୍କ ନିକଟରେ ପହଞ୍ଚିପାରୁଛନ୍ତି । ତେଣୁ ସୋସିଆଲ ମିଡିଆ ନିର୍ବାଚନରେ ବେଶ ପ୍ରଭାବ ପକାଇବ ଓ ଭୋଟରଙ୍କୁ ମନେବାରେ ସହାୟକ ହେବ ବୋଲି ଆଶା କରିଛନ୍ତି ।
ଅନ୍ୟପଟେ ଭୋଟର ବି ସୋସିଆଲ ମିଡିଆରେ ବେଶ ସକ୍ରିୟ ରହୁଛନ୍ତି । ବିଶେଷ କରି ଯୁବବର୍ଗ ଏହି ପ୍ରଚାରରେ ବେଶି ସାମିଲ ହେଉଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ନିଜ ପସନ୍ଦର ନେତା ଚୟନ କରିବାରେ ବେଶ ସୁବିଧା ହେବ ବୋଲି ମତ ପ୍ରକାଶ କରୁଛନ୍ତି ଯୁବଭୋଟର ।
ଏହା ସହ ଏଥର ଟ୍ରେଣ୍ଡରେ ରହିଛନ୍ତି ଇନଫ୍ଲୁଏନ୍ସର । ଯୁବଗୋଷ୍ଠୀଙ୍କୁ ପ୍ରଭାବିତ କରିବାକୁ ଇନଫ୍ଲୁଏନ୍ସରଙ୍କ ସହାୟତା ନେଉଛନ୍ତି ରାଜନୈତିକ ଦଳ । ସେମାନଙ୍କର ଭଲ ଫଲୋର୍ସ ଥିବାରୁ ସେମାନଙ୍କ ଜରିଆରେ ପ୍ରଚାର କରାଉଛନ୍ତି । ସରକାରୀ ଦଳ ନିଜ ନିଜର ସଫଳତା ବଖାଣିବାକୁ ତ ବିରୋଧୀ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଇନଫ୍ଲୁଏନ୍ସରଙ୍କ ଦ୍ୱାରା ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ପ୍ରଚାର କରୁଛନ୍ତି ।
ତେବେ ଚଳିତ ନିର୍ବାଚନରେ ସବୁଠାରୁ ବଡ଼ ସମସ୍ୟା ପାଲଟିଛି AI । ଏଥିରେ ନେତାଙ୍କ ଫେକ୍ ଭିଡ଼ିଓ କରି ଅନେକ ଅପପ୍ରଚାର କରାଯାଉଥିବା ନଜିର ମଧ୍ୟ ରହିଛି । ଯାହାକୁ ନେଇ ଚିନ୍ତାରେ ନେତାମାନେ । ତେବେ ଏହା ଉପରେ ରହିଛି କଡ଼ା ନଜର । ଏପରିକି ଆଧୁନିକ ଜ୍ଞାନକୌଶଳର ଏଭଳି ଅପବ୍ୟବହାର ଠାରୁ ଦୂରେଇ ରହିବାକୁ ସରକାରଙ୍କ ପକ୍ଷରୁ ସତର୍କ କରାଯାଇଛି ।












Click it and Unblock the Notifications