ବୁଝାଇଦେଲା ବିଜେଡି; ଇସ୍ତଫାର ୨୪ ଘଣ୍ଟା ପରେ ପୁଣି ଦଳକୁ ଫେରିଲେ ଜ୍ୟୋତିପ୍ରକାଶ, ମିଳିଲା ବାଲେଶ୍ୱର ଜିଲ୍ଲା ସଭାପତି ଦାୟିତ୍ୱ
ବୁଝାଇଦେଲା ବିଜେଡି, ଦଳକୁ ଫେରିଲେ ଜ୍ୟୋତିପ୍ରକାଶ । ଇସ୍ତଫା ଦେବାର ୨୪ ଘଣ୍ଟା ଭିତରେ ପୁଣିଥରେ ଦଳକୁ ଫେରିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।
ଏଥିପାଇଁ ଦଳ ପକ୍ଷରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ସଭାପତି ଏବଂ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି । ଜ୍ୟୋତିଙ୍କ ବ୍ୟତୀତ ବୁଧବାର ୧୮ ପଞ୍ଚାୟତର ବହୁ ସମର୍ଥକ ମଧ୍ୟ ବିଜେଡି ଛାଡ଼ିଥିଲେ ।
ଏହାସହ ବିଜେଡି ଜ୍ୟୋତିପ୍ରକାଶଙ୍କୁ ନୂଆ ଦାୟିତ୍ୱ ମଧ୍ୟ ଦେଇଛି । ବାଲେଶ୍ୱର ଜିଲ୍ଲା ସଭାପତି ଭାବେ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ ।

ନୂଆ ଦାୟିତ୍ୱ ପାଇବାକୁ ନେଇ ଜ୍ୟୋତି କହିଛନ୍ତି, ମନ କଷ୍ଟ ହୋଇଥିଲା । କିନ୍ତୁ ଏତେ ବର୍ଷର ସମ୍ପର୍କ ଛାଡି ଯିବା ବେଳକୁ ଆଖିରୁ ଲୁହ ଝରିପଡିଲା । ଦଳ ପ୍ରତି ପୂର୍ବରୁ ଆନୁଗତ୍ୟ ଥିଲା ଏବେ ମଧ୍ୟ ରହିଛି । ନୂଆ ଦାୟିତ୍ୱ ପାଇଛି, ବାଲେଶ୍ୱରରେ ଦଳ କିଭଳି ସଙ୍ଗଠିତ ହେବ ଏବଂ ବିଜେଡି ପ୍ରାର୍ଥୀ କିଭଳି ଅଧିକରୁ ଅଧିକ ଭୋଟ ପାଇବେ ସେନେଇ ଲୋକଙ୍କ ପାଖକୁ ଯିବି ବୋଲି କହିଛନ୍ତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।
ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ଜ୍ୟୋତିପ୍ରକାଶଙ୍କ ବଦଳରେ ସୁବାସିନୀ ସାହୁଙ୍କୁ ବିଜେଡି ଟିକେଟ ଦେବାରୁ ସେ ଅସନ୍ତୁଷ୍ଟ ହୋଇ ନୀରବତା ଅବଲମ୍ବନ କରିଥିଲେ । ବୁଧବାର ବିଜେଡିରୁ ଇସ୍ତଫା ଦେଇଥିବା ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମନ ପରିବର୍ତ୍ତନ କରି ବିଜେଡିରେ ରହିଛନ୍ତି।












Click it and Unblock the Notifications