ଓଡ଼ିଶା ବିଧାନସଭା ନିର୍ବାଚନ::ଫୋକସରେ ଓଡ଼ିଶା, ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
ବିଜେପି ଫୋକସରେ ଏବେ ଓଡ଼ିଶା ରହିଛି । ଜଣକ ପରେ ଜଣେ ବିଜେପିର କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସି ହାଇଭୋଲଟେଜ୍ ପ୍ରଚାର କରୁଛନ୍ତି । ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।
ସମ୍ବଲପୁର ଓ ନୟାଗଡ଼ରେ ତାଙ୍କର କାର୍ଯ୍ୟକ୍ରମ ରହିଛି । ସେଠାରେ ଶାହା ଜନସଭାରୁ ସମ୍ବୋଧନ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ପ୍ରଧାନମମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ନିଜ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିସାରିଛନ୍ତି ।

ସେହିପରି ବିଜେପି ହିମନ୍ତ ବିଶ୍ୱଶର୍ମାଙ୍କ ପରି ଦଳୀୟ ଷ୍ଟାର ପ୍ରଚାରକଙ୍କୁ ମଧ୍ୟ ଓଡ଼ିଶାକୁ ଆଣି ପ୍ରଚାର କରାଇଛି । ପ୍ରାୟ ପ୍ରତିଦିନ ବିଜେପିର କେହି ନା କେହି ବଡ଼ ନେତା ରାଜ୍ୟକୁ ଆସି ପ୍ରଚାର ଓ ରୋଡ ସୋ କରୁଛନ୍ତି ।
ସମ୍ବଲପୁର ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ ଓ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ଉପସ୍ଥିତ ରହିବେ ।
ସମ୍ବଲପୁର ସଭା ପରେ ଶାହା କେନ୍ଦୁଝର ଯିବେ । ସେଠାରେ ମେଡିକାଲ ଗ୍ରାଉଣ୍ଡରେ ଆୟୋଜିତ ହୋଇଛି ବିରାଟ ଜନସଭା କାର୍ଯ୍ୟକ୍ରମ । ଲୋକଙ୍କୁ ଗୃହମନ୍ତ୍ରୀ ସମ୍ବୋଧନ କରିବା ସହ ଭୋଟ ପାଇଁ ନିବେଦନ କରିବେ। ସେଠାରୁ ଢେଙ୍କାନାଳର ପରଜଙ୍ଗ ପରେ ନୟାଗଡ଼ ଯିବେ ଗୃହମନ୍ତ୍ରୀ ଅମିତ ଶାହ। ସେଠାରେ ଲୋକଙ୍କୁ ସମ୍ବୋଧନ କରିବା ସହ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରୁଛନ୍ତି । ଆଜି ମଧ୍ୟ ଶାହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବେ ବୋଲି ଚର୍ଚ୍ଚା ହେଉଛି । ସେହିପରି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କର ଆଜି ମୋରଡ଼ା, ଉଦଳା, ଯଶୀପୁର, ରାଇରଙ୍ଗପୁର, ବାଙ୍ଗୀରିପୋଷି ଓ ବାରିପଦାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications