ଜୁନ୍ ୧ ଭୋଟଗ୍ରହଣ ପାଇଁ ମଇ ୩୦ ତାରିଖ ସନ୍ଧ୍ୟାରୁ ୧୪୪ ଧାରା ,୧୦୦ ମିଟର ମଧ୍ୟରେ ଫୋନ୍ ମନା
ଅନ୍ତିମ ପର୍ଯ୍ୟାୟ ଜୁନ୍ ୧ରେ ପଡ଼ିବ ଭୋଟ । କଟକ ଜିଲାର ନିଆଳି, ସାଲେପୁର ଏବଂ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀର ଅଞ୍ଚଳରେ ୧୪୪ ଧାରା ଜାରି ହେବ । ଆଗାମୀ ୩୦ ତାରିଖ ସନ୍ଧ୍ୟା ୬ଟାରୁ ଜୁନ୍ ୨ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ।
ଜିଲାପାଳ ଅରିନ୍ଦମ ଡାକୁଆ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମତେ ଫୌଜଦାରୀ ଆଇନ୍, ୧୮୭୩ ଆଧାରରେ ୧୪୪ ଧାରା ଜାରି କରିଛନ୍ତି । ଏହି ଧାରା ଅନୁଯାୟୀ. ଭୋଟଗ୍ରହଣ କେନ୍ଦ୍ର ପରିସରର ୨୦୦ ମିଟର ଅଞ୍ଚଳ ମଧ୍ୟରେ ୫ ଜଣ କିମ୍ବା ତଦୁର୍ଦ୍ଧ୍ୱ ବ୍ୟକ୍ତି ଏକତ୍ରିତ ହେବା ନିଷିଦ୍ଧ।
କେବଳ ଜନସେବାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ପାଇଁ ସମଗ୍ର ଜିଲାରେ ଲାଉଡସ୍ପିକର, ଆମ୍ପ୍ଲିଫାୟର ଏବଂ ଉଚ୍ଚ ସ୍ବର କରୁଥିବା ଅନ୍ୟ ଯେକୌଣସି ଉପକରଣ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ଭୋଟ ଗ୍ରହଣ କେନ୍ଦ୍ରର ୨୦୦ ମିଟର ପରିସୀମା ମଧ୍ୟରେ ସରକାରୀ ଦାୟିତ୍ୱ ନିର୍ବାହ କରୁଥିବା ପ୍ରାଧିକୃତ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କାହାର ଯାନବାହନ ପାର୍କିଂ କରାଯାଇ ପାରିବ ନାହିଁ ଏବଂ କୌଣସି ନିର୍ବାଚନ ପୋଷ୍ଟର କିମ୍ବା ଅନ୍ୟ ସାମଗ୍ରୀ ଲଗାଯାଇ ପାରିବ ନାହିଁ।

ନିର୍ବାଚନ ଶେଷ ପର୍ଯ୍ୟାୟର ସମାପ୍ତି ପର୍ଯ୍ୟନ୍ତ ଏକ୍ଜିଟ ପୋଲର ଫଳାଫଳ ଘୋଷଣା ନିଷେଧ କରାଯାଇଛି। ପ୍ରାଧିକୃତ ଅଧିକାରୀଙ୍କ ବ୍ୟତୀତ ମତଦାନ କେନ୍ଦ୍ରର ୧୦୦ ମିଟର ପରିସୀମା ମଧ୍ୟରେ ସେଲୁଲାର ଫୋନ୍, କର୍ଡଲେସ ଫୋନ୍, ସ୍ମାର୍ଟ ୱାଚ୍ ଆଦି ବ୍ୟବହାର ମଧ୍ୟ ନିଷେଧ ହୋଇଛି।
ସେହିପରି ସମଗ୍ର କଟକ ଜିଲା ପରିସୀମାରେ କୌଣସି ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଆଦି ପ୍ରଦର୍ଶନ କରାଯାଇପାରିବ ନାହିଁ। ପ୍ରାଧିକୃତ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କେହି ମତଦାନ କେନ୍ଦ୍ର ପରିସରରେ ଅସ୍ତ୍ର ଧାରଣ କରି ରହିବା ମଧ୍ୟ ନିଷେଧ। କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶନାମା ଅମାନ୍ୟ କଲେ ଭାରତୀୟ ପିଙ୍ଗଳ କୋଡ ଧାରା ୧୮୮ ଏବଂ ଅନ୍ୟ ସମ୍ପୃକ୍ତ ପ୍ରାବଧାନ ଅନୁଯାୟୀ ଦଣ୍ଡିତ ହେବେ।
ପ୍ରଚାର ପାଇଁ ନିର୍ବାଚନ ମଣ୍ଡଳୀ ବାହାରୁ ଅଣାଯାଇଥିବା ବ୍ୟକ୍ତିମାନେ ଯଦି ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ଭୋଟର ନୁହନ୍ତି ପ୍ରଚାର ସମୟ ଶେଷ ପରେ ସେମାନେ ନିର୍ବାଚନମଣ୍ଡଳୀରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି।












Click it and Unblock the Notifications