ଲୋୟର ପିଏମଜିରେ ଖଣ୍ଡଯୁଦ୍ଧ ପ୍ରସଙ୍ଗ: ବିରୋଧିଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
ଗତକାଲି ଲୋୟର ପିଏମଜିରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧକୁ ନେଇ ଆଜି ବିଜେପି ସଦସ୍ୟଙ୍କ ହୋହଲ୍ଲାରେ କମ୍ପିଛି ଗୃହ । ତେଣୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଭୁବନେଶ୍ବର: ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ । ମାତ୍ର ଗତକାଲି ଲୋୟର ପିଏମଜିରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧକୁ ନେଇ ଆଜି ବିଜେପି ସଦସ୍ୟଙ୍କ ହୋହଲ୍ଲାରେ କମ୍ପିଛି ଗୃହ । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିରୋଧୀ ହଙ୍ଗାମା କରିଛନ୍ତି । ଫଳରେ ଆଜି ଗୃହ କାର୍ଯ୍ୟ ଚାଲିପାରିନାହିଁ । ତେଣୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ ସାମ୍ନାରେ ପୋଷ୍ଟର ଧରି ନାରାବାଜି କରିଥିଲେ । ଫଳରେ ଚାଲିପାରି ନଥିଲା ପ୍ରଶ୍ନକାଳ । ଗୃହକୁ ପୂର୍ବାହ୍ନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ସାଢେ ୧୧ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ପୁଣିଥିରେ ହଟ୍ଟଗୋଳ ଯୋଗୁଁ ୧୫ ମିନିଟ୍ ମୁଲତବୀ ରଖାଯାଇଥିଲା । ଗୃହକାର୍ଯ୍ୟ ସ୍ବାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ପରେ ପୁନର୍ବାର ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ହୋଇଛି । ତେବେ ଗତକାଲି ମଧ୍ୟ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ ବିଜେପି ପ୍ରଶ୍ନ କରିଥିଲା । ସେପଟେ କେନ୍ଦ୍ରୀୟ ଅବହେଳା ତଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ବିଜେଡି ପ୍ରତିବାଦ କରିଥିଲା । ଏହାପରେ ବାଚସ୍ପତି ଗୃହକାର୍ଯ୍ୟ ମୁଲତବୀ ରଖିଥିଲେ ।
ଉଲ୍ଲେଖଯୋଗ୍ୟ, ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟତା ପ୍ରସଙ୍ଗ ଓ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଲୋୟର ପିଏମଜି ସାଜିଥିଲା ରଣକ୍ଷେତ୍ର । ବିଜେପି କର୍ମୀ-ପୋଲିସ ମଧ୍ୟରେ ଦେଖିବାକୁ ମିଳିଥିଲା ଖଣ୍ଡଯୁଦ୍ଧ । ବିଜେପି ଯୁବମୋର୍ଚ୍ଚା କର୍ମୀ ଓ ପୋଲିସ୍ କର୍ମୀଙ୍କ ଧସ୍ତାଧସ୍ତି ମାରପିଟରେ ୨୧ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ଏହି ଘଟଣାରେ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ ଜଣ ଗିରଫ ହୋଇଛନ୍ତି ।












Click it and Unblock the Notifications