ସରିଲା ବିଧାନସଭା ବଜେଟ୍ ଅଧିବେଶନ; ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବିଧାନସଭା ମୁଲତବି ଘୋଷଣା
ବଜେଟ୍ ଅଧିବେଶନ ଶେଷ ହୋଇଛି। ତିନୋଟି କାର୍ଯ୍ୟ ଦିବସ ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି।
ଏହି ଅଧିବେଶନ ୨୮ଟି କାର୍ଯ୍ୟ ଦିବସ ମଧ୍ୟରୁ ୨୫ଟି କାର୍ଯ୍ୟ ଦିବସ ଚାଲିଥିଲା । ଆଗକୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନଥିବାରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ଲାଗି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ, ଯାହାକୁ ସମର୍ଥନ କରିଥିଲେ ଏକାଧିକ ବିଧାୟକ। ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରିଥିଲେ ।
ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି, ଗଣତନ୍ତ୍ର ପୁଣି ବିଧାନସଭା ଗୃହରେ ପ୍ରତିଷ୍ଠା ହୋଇଛି। ସାଢେ ୧୨ ଘଣ୍ଟା ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାରିତ ହୋଇଛି। କ୍ଲଜ ବାଏ କ୍ଲଜ ଆଲୋଚନା ବେଳେ ସବୁ ଉତ୍ତର ଉଚ୍ଚ ଶିକ୍ଷା ମନ୍ତ୍ରୀ ରଖିଛନ୍ତି। ଏହି ବିଲ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ। ପୂର୍ବ ସରକାର ବିଶ୍ୱ ବିଦ୍ୟାଳୟ କ୍ଷମତା ସଂକୀର୍ଣ୍ଣ କରିଥିଲେ ଏବେ ତାହାକୁ ସ୍ୱାୟତ୍ତ କରାଯାଇଛି। ନୂଆ ବିଲ୍ ଦ୍ୱାରା ସରକାରୀ ନିୟନ୍ତ୍ରଣ କମିବ। ନୂଆ ବିଧାୟକଙ୍କୁ ବିଲ ବିଷୟରେ ବୁଝିବାକୁ ସୁଯୋଗ ମିଳିଛି। ଆମେ ରାତି ସାରା ଏଥିରେ ଭାଗ ନେଇଥିବାରୁ ଆମେ ଗର୍ବିତ।

ଗୃହର ୨୫ତମ କାର୍ଯ୍ୟ ଦିବସରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ-୨୦୨୫ ବିଧାନସଭାରେ ପାରିତ ହୋଇଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଗୃହରେ ପାରିତ ହୋଇଛି। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବେଶ ଘଟଣା ବହୁଳ ଥିଲା। କଂଗ୍ରେସ ଦଳର ସମସ୍ତ ବିଧାୟକ ପ୍ରଥମ ଥର ପାଇଁ ବିଧାନସଭା ଇତିହାସରେ ଗୃହରୁ ନିଲମ୍ବିତ ହୋଇଥିଲେ। ଏହା ସହ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ଆଲୋଚନା ବେଳେ ରାତି ତମାମ ଚାଲିଥିଲା ବିଧାନସଭା। ବୁଧବାର ସକାଳ ୧୦.୩୦ ମିନିଟରେ ଆରମ୍ଭ ହୋଇ ଗୃହ ଗୁରୁବାର ସକାଳ ୭ଟା ୫ ପର୍ଯ୍ୟନ୍ତ ଚାଲିଥିଲା।












Click it and Unblock the Notifications