କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ: ଆଜି ବସିଥିବା ସର୍ବଦଳୀୟ ବୈଠକ ବର୍ଜନ କଲା ବିଜେପି
ଆସନ୍ତାକାଲି (ମଙ୍ଗଳବାର)ଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ । ଏହା ପୂର୍ବରୁ ଆଜି ବସିଥିଲା ସର୍ବ ଦଳୀୟ ବୈଠକ ।

ଭୁବନେଶ୍ୱର: ଆସନ୍ତାକାଲି (ମଙ୍ଗଳବାର)ଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ । ଏହା ପୂର୍ବରୁ ଆଜି ବସିଥିଲା ସର୍ବ ଦଳୀୟ ବୈଠକ । ଗୃହ କାର୍ଯ୍ୟକୁ ସରୁଖୁରୁରେ ଚଳେଇବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଡାକିଥିଲେ ସର୍ବ ଦଳୀୟ ବୈଠକ ।
ତେବେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ସର୍ବଦଳୀୟ ବୈଠକକୁ ବର୍ଜନ କରିଛି ବିଜେପି। ଭର୍ଚୁଆଲ ମୋଡରେ ବିଧାୟକଙ୍କ ଅଂଶଗ୍ରହଣ ପ୍ରସ୍ତାବକୁ ବିରୋଧ କରି ସର୍ବଦଳୀୟ ବୈଠକ ବର୍ଜନ କରିଛି ବିଜେପି । ସମସ୍ତେ ଗୃହକୁ ଆସି ଭାଗ ନିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ପାର୍ଲାମେଣ୍ଟ କିମ୍ବା ଅନ୍ୟ କୌଣସି ବିଧାନସଭାରେ ଭର୍ଚୁଆଲ ବ୍ୟବସ୍ଥା ନାହିଁ । ଓଡ଼ିଶା ବିଧାନସଭାରେ ଏଭଳି ବ୍ୟବସ୍ଥା କାହିଁକି ବୋଲି ଜୟ ନାରାୟଣ ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ଆଜି ବସିଥିବା ସର୍ବଦଳୀୟ ବୈଠକରେ ମୋଟ ୧୫ଟି ବିଷୟ ଉପରେ ହୋଇଛି ଆଲୋଚନା । ପ୍ରଥମ ଥର ପାଇଁ ଜନସାଧାରଣଙ୍କୁ ବିଧାନସଭା ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିବା କହିଛନ୍ତି ବାଚସ୍ପତି । ଏହି ବୈଠକରେ ଯୋଗ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ସାମିଲ ହୋଇଥିଲେ । ବିଜେପି ତରଫରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର ସାମିଲ ହୋଇଥିଲେ । ଏହା ସହ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।
ଉଲ୍ଲେଖଥାଉ କି, ବିଧାନସଭାର ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ଯାଏ ଚାଲିବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ । ଫେବ୍ରୁଆରୀ ୨୪ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩- ୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ।












Click it and Unblock the Notifications