୧୦ ବର୍ଷରେ ପ୍ରାଣ ହରାଇଛନ୍ତି ୭୮୪ ହାତୀ, ଗୃହରେ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ଗତ ୧୦ ବର୍ଷରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ୭୮୪ ହାତୀ । ୨୦୧୮-୧୯ ମସିହାରେ ସର୍ବାଧିକ ୯୩ଟି ହାତୀ ମୃତ୍ୟୁ ବରଣ କରିଥିବା ବେଳେ ହାତୀ ଆକ୍ରମଣରେ ୯୨୫ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ଭୁବନେଶ୍ବର: ଗତ ୧୦ ବର୍ଷରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ୭୮୪ ହାତୀ । ୨୦୧୮-୧୯ ମସିହାରେ ସର୍ବାଧିକ ୯୩ଟି ହାତୀ ମୃତ୍ୟୁ ବରଣ କରିଥିବା ବେଳେ ହାତୀ ଆକ୍ରମଣରେ ୯୨୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।
ସେହିପରି ମନ୍ତ୍ରୀ କହିଛନ୍ତି ଯେ, ୨୦୧୭-୧୮ରୁ ୨୦୨୧-୧୧ ବର୍ଷ ମଧ୍ୟରେ ରାଜ୍ୟର ୩୯ଟି ଜଙ୍ଗଲ ଡିଭିଜନରେ ବିଭିନ୍ନ କାରଣରୁ ୪୧୬ଟି ହାତୀ ମୃତ୍ୟୁବରଣ କରିଛନ୍ତି । ପ୍ରାକୃତିକ କାରଣରୁ ୪୪ଟି ହାତୀଙ୍କର ମୃତ୍ୟୁ ହୋଇଛି। ଶିକାର ଦ୍ୱାରା ୧୦ଟି ହାତୀଙ୍କର ମୃତ୍ୟୁ ହୋଇଛି। ବିଷ ପ୍ରୟୋଗ ଦ୍ୱାରା କେବଳ ରାଉରକେଲା ଡିଭିଜନରେ ଗୋଟିଏ ହାତୀର ମୃତ୍ୟୁ ହୋଇଛି ।
ସେହିପରି ବିଦ୍ୟୁତ ଆଘାତରେ ୨୬ ହାତୀ ଆକସ୍ମିକ ଭାବେ ମୃତ୍ୟୁବରଣ କରିଛନ୍ତି । ବିଦ୍ୟୁତ ଆଘାତରେ ସୁଚିନ୍ତିତ ଭାବେ ମୃତ୍ୟୁବରଣ କରିଛନ୍ତି ୩୫ଟି ହାତୀ । ରେଳ ଦୁର୍ଘଟଣାରେ ୧୭ଟି ହାତୀଙ୍କର ମୃତ୍ୟୁ ହୋଇଛି। ସଡ଼କ ଦୁର୍ଘଟଣାରେ ୪ଟି ହାତୀ ମୃତ୍ୟୁ ହୋଇଛି । ଅନ୍ୟାନ୍ୟ ଦୁର୍ଘଟଣା କାରଣରୁ ୮୫ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଆନ୍ଥରାକ୍ସ ରୋଗରେ ପଡ଼ି ୨୪ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ହରପିସ୍ ରୋଗରେ ପଡ଼ି ୧୦ଟି ହାତୀ ମୃତ୍ୟୁମୁଖରେ ପଡ଼ିଛନ୍ତି । ଅନ୍ୟାନ୍ୟ ରୋଗ ଯୋଗୁଁ ୧୨୪ଟି ହାତୀ ମୃତ୍ୟୁବରଣ କରିଛନ୍ତି । ୩୬ଟି ହାତୀଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟରେ ୨୦୧୭ ମସିହାରେ ହୋଇଥିବା ହାତୀ ଗଣନା ତଥ୍ୟ ଅନୁସାରେ ରାଜ୍ୟରେ ମୋଟ ୧୯୭୬ଟି ହାତୀ ଅଛନ୍ତି । ଯେଉଁଥିରୁ ଗତ ୧୦ ବର୍ଷରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ୭୮୪ ହାତୀ ।












Click it and Unblock the Notifications