ମୋହନ ମାଝୀଙ୍କୁ ଭେଟିଲେ ବିଷ୍ଣୁଦେବ ସାଏ; ମହାନଦୀ ଜଳ ବିବାଦ ଆପୋଷ ସମାଧାନ ପାଇଁ ଆଲୋଚନା
ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ଏହି ଅବସରରେ ବିଭିନ୍ନ ବିଷୟ ସହିତ ମହାନଦୀ ଜଳ ବିବାଦ ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଏହି ବିବାଦର ଆପୋଷ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଥିଲେ।
ଦୁଇ ରାଜ୍ୟ ପରସ୍ପରର ପଡ଼ୋଶୀ ରାଜ୍ୟ ଏବଂ ଉଭୟ ରାଜ୍ୟ ମଧ୍ୟରେ ଭାଷା ଓ ଭାବଗତ ସାମଞ୍ଜସ୍ୟ ମଧ୍ୟ ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଉଭୟ ରାଜ୍ୟର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଏହାର ତୁରନ୍ତ ସମାଧାନ ହେବା ଆବଶ୍ୟକ।

ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବିଷୟ ଉପରେ ଗୁରୁତ୍ୱ ଦେଇ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରାସ୍ତା ବାହାର କରିବାକୁ ଏକମତ ହୋଇଛନ୍ତି। ଏହି ଅବସରରେ ଦୁଇ ରାଜ୍ୟର କିଛି ମନ୍ତ୍ରୀ ଉପସ୍ଥିତ ଥିଲେ।
୨୦୧୮ ମାର୍ଚ୍ଚ ୧୨ରେ କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଗଠନ କରିଥିଲେ। ବିଗତ ସାଢ଼େ ଛଅ ବର୍ଷ ମଧ୍ୟରେ ଟ୍ରିବ୍ୟୁନାଲରେ ମୋଟ ୪୩ଟି ଶୁଣାଣି ହୋଇଛି। ଶୁଣାଣି ପାଇଁ ୪୫ଟି ପ୍ରସଙ୍ଗ ନିର୍ଦ୍ଧାରଣ କରାଯାଇଥିଲା। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲରେ କେବେଠାରୁ ନିୟମିତ ଶୁଣାଣି ଆରମ୍ଭ ହେବ ସେ ନେଇ ଅନିଶ୍ଚିତତା ଜାରି ରହିଛି।
ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲରେ କେବେଠାରୁ ନିୟମିତ ଶୁଣାଣି ଆରମ୍ଭ ହେବ ସେ ନେଇ ଅନିଶ୍ଚିତତା ଜାରି ରହିଛି। ୨୦୨୪ ଫେବ୍ରୁଆରି ୨୨ରେ ଟ୍ରିବ୍ୟୁନାଲରେ ମାମଲାର ୪୩ତମ ଶୁଣାଣି ହୋଇଥିଲା। ଏହାପରେ ଭାରତର ଲୋକପାଳ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ୨୦୨୪ ମାର୍ଚ୍ଚ ୧୨ରେ ତତ୍କାଳୀନ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଏଏମ୍ ଖାନୱିଲକର ଇସ୍ତଫା ଦେଇଥିଲେ। ତା' ପରଠାରୁ ଟ୍ରିବ୍ୟୁନାଲରେ ଶୁଣାଣିକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।












Click it and Unblock the Notifications